ଯାଜପୁର: ରାଉରକେଲା ପରେ ଯାଜପୁରରେ ବନ୍ଧୁକ ମୁନରେ ଏକ ସୁନା ଦୋକାନୀଙ୍କ ଠାରୁ ଲୁଟ୍ ଉଦ୍ୟମ ହୋଇଛି । ଲୁଟ୍ ବେଳେ ଲୁଟେରାଙ୍କ ଗୁଳି ମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଲେ ନୀଳମାଧବ ପଣ୍ଡା ଏବଂ ଗୁରୁତର ହେଲେ ସୁନୀଲ ରାୟ । ନୀଳମାଧବ ପଣ୍ଡା ବିଦ୍ୟୁତ ବିଭାଗର ଡ୍ରାଇଭର ହୋଇଥିବାବେଲେ ସୁନୀଲ ପାଣିକୋଇଲି ସ୍ଥିତ ପଣ୍ଡା ଅଳଙ୍କାରର କର୍ମଚାରୀ ବୋଲି ଜଣାପଡ଼ିଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ପଣ୍ଡା ଅଳଙ୍କାରର କର୍ମଚାରୀ ସୁନୀଲ ରାୟ ଟଙ୍କା ନେଇ ବ୍ୟାଙ୍କକୁ ଯାଉଥିଲେ । ଏହି ସମୟରେ ୫ ଜଣ ଦୁର୍ବୃତ୍ତ ଆସି ପାଣିକୋଇଲି ଛକ ନିକଟରେ ସେମାନଙ୍କ ଉପରେ ଗୁଳି ମାଡ଼ କରିଥିଲେ । ନୀଳମାଧବ ତାଙ୍କୁ ବଞ୍ଚାଇବାକୁ ଯାଇଥିବାବେଳେ ତାଙ୍କ ଦେହରେ ମଧ୍ୟ ଗୁଳି ବାଜିଥିଲା । ଫଳରେ ସୁନୀଲ ରାୟ ଏବଂ ନୀଳମାଧବ ଗୁରୁତର ହୋଇପଡ଼ିଥିଲେ । ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ଯାଜପୁର ମେଡ଼ିକାଲରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ନୀଳମାଧବଙ୍କୁ ମୃତ ଘୋଷଣା କରିଛନ୍ତି । ତାଙ୍କ ପେଟରେ ଗୁଳି ବାଜିଥିବା ଦେଖିବାକୁ ମିଳିଛି । ଅନ୍ୟ ପକ୍ଷରେ ସୁନୀଲଙ୍କ ପିଠିରେ ଗୁଳି ବାଜିଥିବା ଜଣା ପଡ଼ିଛି ।
ତେବେ ୨ ଜଣ ଲୁଟେରାଙ୍କୁ ପିଛା କରି ସ୍ଥାନୀୟ ଲୋକ ଧରିବାରେ ସଫଳ ହୋଇଛନ୍ତି । ଦିନ ଦ୍ୱିପହରରେ ଏଭଳି ଲୁଟ ଏବଂ ଗୁଳିକାଣ୍ଡକୁ ନେଇ ସ୍ଥାନୀୟ ଲୋକ ଭୟଭୀତ ହୋଇ ପଡ଼ିଛନ୍ତି । ସମ୍ପୂର୍ଣ୍ଣ ବଜାରରେ ଲୋକଙ୍କ ଭିଡ଼ ଜମିଛି । ପୋଲିସ ଘଟଣା ସ୍ଥଳରେ ପହଁଚି ଛାନଭିନ କରୁଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ରାଉରକେଲା ସହରରେ ଥିବା ହୁଣ୍ଡାଇ ସୋରୁମ୍ର ୨ଜଣ ସିକ୍ୟୁରିଟିଙ୍କୁ ବାନ୍ଧି ୪ ଜଣ ଦୁର୍ବୃତ୍ତ ମୁଖା ପିନ୍ଧି ବନ୍ଧୁକ ଦେଖାଇ ଲକରରୁ ଲୁଟ୍ କରିଛନ୍ତି । ଲକରରେ ୨ ରୁ ୩ ଲକ୍ଷ ନଗଦ ଟଙ୍କା ସହ କ୍ରେଡିଟ କାର୍ଡ ଏବଂ ଅନେକ ଗୁରୁତ୍ତ୍ୱପୂର୍ଣ୍ଣ କାଗଜ ପତ୍ର ଲୁଟ ହୋଇଥିବା ଜଣାପଡିଛି ।
ସେପଟେ ଗତକାଲି ସକାଳ ୧୦ଟା ବେଳେ ସମ୍ବଲପୁର ବୁଢ଼ାରାଜା ଛକରେ ଥିବା ମଣପୁରମ ଗୋଲ୍ଡ ଲୋନ୍ କାର୍ୟ୍ୟାଳୟରୁ ସଶସ୍ତ୍ର ଡକାୟତି ହୋଇଥିଲା । ଲୁଟେରାମାନେ ୨୮ କିଲୋ ୫୦୦ ଗ୍ରାମ ସୁନା ସହିତ ନଗଦ ଟଙ୍କା ଲୁଟି ନେଇଛନ୍ତି ।