ପାଣିକୋଇଲି: ଯାଜପୁର ପାଣିକୋଇଲି ଛକରେ ଲୁଟ୍ ଉଦ୍ୟମବେଳେ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି । ଅନ୍ୟ ମୃତକ ଜଣକ ହେଲେ ପଣ୍ଡା ଅଳଙ୍କାରର ଜଣେ କର୍ମଚାରୀ । ଅନ୍ୟପକ୍ଷରେ ଅଟକ ରହିଥିବା ଦୁର୍ବୁତ୍ତକୁ ଲୋକଙ୍କ କବଳରୁ ମୁକୁଳାଇବାକୁ ପୋଲିସକୁ ନାକେଦମ ହେବାକୁ ପଡ଼ିଛି । ଶେଷରେ ପୋଲିସ ଦୁର୍ବୃତ୍ତଙ୍କୁ ଉଦ୍ଧାର କରିଛି । ତେବେ ଆଉ କିଛି ଦୁର୍ବୃତ୍ତ ଫେରାର ହୋଇଯାଇଥିବା ନେଇ ସୂଚନା ମିଳିଛି ।
ଆଜି ଦିନ ପ୍ରାୟ ଗୋଟାଏ ସମୟରେ କିଛି ଦୁର୍ବୃତ୍ତ ଭଦ୍ର ବ୍ୟକ୍ତି ଭଳି ପଣ୍ଡା ଅଳଙ୍କାର ପାଖକୁ ଆସିଥିଲେ । ଏହି ସମୟରେ ଦୋକାନର କର୍ମଚାରୀ ସୁନୀଲ ରାୟଙ୍କଠାରୁ ଟଙ୍କା ଏବଂ ସୁନା ନେବାକୁ ଉଦ୍ୟମ କରିଥିଲେ । ସୁନା ନେଇ ଫେରାର ହେବାକୁ ଉଦ୍ୟମ କରୁଥିବାବେଳେ ତାଙ୍କୁ ବଞ୍ଚାଇବାକୁ ବିଦ୍ୟୁତ ବିଭାଗର ଜଣେ ଡ୍ରାଇଭର ନୀଳମାଧବ ପଣ୍ଡା ଧାଇଁ ଆସିଥିଲେ । ଦୁର୍ବୃତ୍ତମାନେ ସେମାନଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ସୁନୀଲଙ୍କ ପଛ ପଟ ପିଠିରେ ଗୁଳି ବାଜି ଥିବାବେଳେ ନୀଳମାଧବଙ୍କ ପେଟରେ ଗୁଳି ବାଜିଥିଲା । ଫଳରେ ସୁନୀଲ ରାୟ ଏବଂ ନୀଳମାଧବ ଗୁରୁତର ହୋଇପଡ଼ିଥିଲେ ।
ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ଯାଜପୁର ମେଡ଼ିକାଲରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ନୀଳମାଧବଙ୍କୁ ମୃତ ଘୋଷଣା କରିଥିଲେ । ଏହା ପରେ ସୁନୀଲଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇ ଥିବା ଜଣାପଡ଼ିଛି ।
କିଛି ଦୁର୍ବୃତ୍ତ ଫେରାର ହେବାରେ ସଫଳ ହୋଇଥିବାବେଳେ ଦୁଇ ଜଣଙ୍କ ସ୍ଥାନୀୟ ଲୋକ ଧରିବାରେ ସଫଳ ହୋଇଥିଲେ । ଜଣକୁ ଦୋକାନ ଭିତରେ ପୁରାଇ କବାଟ ଦେଇଥିଲେ । ଆଉ ଜଣେ ବାହାରେ ଥିବାବେଳେ ଧରାପଡ଼ିଥିଲା । ସେମାନଙ୍କ ନିକଟରୁ ବିପୁଳ ପରିମାଣରେ ସୁନା ମଧ୍ୟ ମିଳିଥିଲା । ଉଭୟଙ୍କୁ ସ୍ଥାନୀୟ ଲୋକ ଉତ୍ତମ ମଧ୍ୟମ ଦେଇଛନ୍ତି ।
ଖବର ପାଇ ପାଣିକୋଇଲି ପୋଲିସ ଘଟଣାସ୍ଥଳରେ ପହଁଚିଥିଲା । ସ୍ଥାନୀୟ ମାର୍କେଟରେ ଉତ୍ତେଜନା ପ୍ରକାଶ ପାଇବାରୁ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । କିନ୍ତୁ ଉତ୍ତ୍ୟକ୍ତ ସ୍ଥାନୀୟ ଲୋକ ଉଭୟଙ୍କୁ ନ ଛାଡ଼ିବାକୁ ଅଡ଼ି ବସିଥିଲେ । ସେମାନଙ୍କୁ ମୁକୁଳାଇବାକୁ ପୋଲିସକୁ ନାକେଦମ୍ ହେବାକୁ ପଡ଼ିଥିଲା । ପ୍ରାୟ ୩ ଘଣ୍ଟାର ଯୁକ୍ତି ତର୍କ ପରେ ଲୋକଙ୍କୁ ବୁଝାଇବାରେ ପୋଲିସ ସଫଳ ହୋଇଥିଲା ଏବଂ ଲୁଟେରାଙ୍କୁ ଉଦ୍ଧାର କରିଥିଲା ।