ଅନୁଗୁଳ: ଶୋଇଥିବାବେଳେ ଭାଇ ଭଉଣୀଙ୍କୁ ଗୁଳି ମାଡ଼ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଭାଙ୍ଗମଣ୍ଡା ଗାଁରେ । ଉଭୟ ଭାଇ ଭଉଣୀ ନାବାଳକ ଓ ନାବାଳିକା ଅଟନ୍ତି । ଭଉଣୀର ବୟସ ୧୫ ବର୍ଷ ହୋଥିବାବେଳେ ଭାଇର ବୟସ ୧୧ ବର୍ଷ ବୋଲି ଜଣାପଡ଼ିଛି । ଗୁରୁତର ଅବସ୍ଥାରେ ଉଭୟଙ୍କୁ କଟକ ଏସିସିବି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, କିଶୋରନଗର ଥାନା ଭାଙ୍ଗମଣ୍ଡାରେ ଗାଁର ପ୍ରଫୁଲ୍ଲ ମିର୍ଦ୍ଧାଙ୍କ ସାନ ପୁଅ ପ୍ରକାଶ ମିର୍ଦ୍ଧା ଓ ସାନ ଝିଅ ଜାଜ୍ଞସେନୀ ମିର୍ଦ୍ଧା ଘର ବାରଣ୍ଡାରେ ଶୋଇଥିଲେ । ବିଳମ୍ବିତ ରାତି ପ୍ରାୟ ଗୋଟାଏ ବେଳେ କେହି ଦୁର୍ବୃତ୍ତ ତାଙ୍କ ଉପରେ ଗୁଳି ଚାଳନା କରି ଫେରାର ହୋଇଯାଇଥିଲେ । ପରିବାର ଲୋକ ହଠାତ୍ ଚିତ୍କାର ଶୁଣିଥିଲେ । ଉଭୟ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିଲେ । ପୁଅର ପେଟରେ ଗୁଳି ବାଜିଥିବାବେଳେ ଝିଅର ଛାତିରେ ଗୁଳି ବାଜିଛି । ଉଭୟଙ୍କୁ ପ୍ରଥମେ କିଶୋରନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ମାତ୍ର ଅବସ୍ଥା ଗୁରୁତର ହେବାରୁ ଭଉଣୀକୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ସେହିପରି ଭାଇର ବୁର୍ଲା ମେଡ଼ିକାଲକୁ ନିଆଯାଇଥିଲା ।
ତେବେ କିଏ ଓ କାହିଁକି ସେମାନଙ୍କ ଉପରେ ଗୁଳି ମାଡ଼ କଲେ ସେ ନେଇ କିଛି ସ୍ପଷ୍ଟ ହୋଇ ନାହିଁ । ପରିବାର ପକ୍ଷରୁ କୌଣସି ଲିଖିତ ଅଭିଯୋଗ କରାଯାଇ ନ ଥିବା ଫୋନ ଯୋଗେ ଖବର ପାଇ କିଶୋରନଗର ଥାନା ପୋଲିସ ଛାନଭିନ ଆରମ୍ଭ କରିଛି ।