ମେ ମାସରୁ ବନ୍ଦ ହୋଇଯିବ ଭିଡିଓ କଲିଂ ଆପ୍ ସ୍କାଏପି । ଭିଡ଼ିଓ ଓ ଭଏସ କଲ ଯୋଗଯୋଗର ଏକ ଆପ୍ ହେଉଛି ସ୍କାଏପି । ୨୨ ବର୍ଷ ପୂର୍ବେ ଏହାର ଲଞ୍ଚ ହୋଇଥିଲା । ୨୦୦୩ରେ ଉତ୍ତର ୟୁରୋପୀୟ ଦେଶ ଇଷ୍ଟୋନିଆର ଟାଲିନ୍ର କିଛି ଇଞ୍ଜିନିୟରଙ୍କ ଦ୍ୱାରା ଏହାର ଲଞ୍ଚ କରାଯାଇଥିଲା । ଏହା ପ୍ରାରମ୍ଭିକ ପର୍ଯ୍ୟାୟରେ ଲ୍ୟାଣ୍ଡଲାଇନ୍ ବଦଳରେ ଇଣ୍ଟରନେଟ୍ ବ୍ୟବହାର କରି କଲ୍ କରିବାକୁ ଆରମ୍ଭ ହୋଇଥିଲା ।
୨୦୦୫ରେ ସ୍କାଏପିରେ ଭିଡିଓ କଲିଂ ସୁବିଧା ମଧ୍ୟ ସାମିଲ କରାଯାଇଥିଲା । ୨୦୧୧ ମସିହାରେ ମାଇକ୍ରୋସଫ୍ଟ ୮.୫ ବିଲିୟନ ଡଲାରରେ ଏହି ପ୍ଲାଟଫର୍ମକୁ କିଣିଥିଲା । ଏହି ସମୟରେ ସ୍କାଇପ୍ ନିକଟରେ ୧୭୦ ମିଲିୟନ ୟୁଜର ଥିଲେ । କିନ୍ତୁ କୋଭିଡ ମହାମାରୀ ସମୟରେ ଜୁମ୍ ଓ ଟିମ୍ସ ଭଳି ନୂଆ ଭିଡିଓ ପ୍ଲାଟଫର୍ମ ଦ୍ରୁତ ଗତିରେ ଲୋକପ୍ରିୟତା ହାସଲ କରିଥିଲେ । ଏହି ସମୟରେ ସ୍କାଏପି ୟୁଜରଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଥିଲା । ଏଥିଲାଗି ମାଇକ୍ରୋସଫ୍ଟ ସ୍କାଇପ୍କୁ ଏବେ ବନ୍ଦ କରି ଟିମ୍ସକୁ ଆଗକୁ ବଢାଇବାକୁ ଚାହୁଁଛି ।
ଦୀର୍ଘ ୨ ଦଶନ୍ଧିରୁ ଅଧିକ ସମୟ ହେବ ସ୍କାଏପି ସେବା ଯୋଗାଇଆସୁଛି । ନୂଆ ଚାକିରୀ ପାଇଁ ଇଣ୍ଟରଭିୟୁ ଦେବାକୁ ହେଉ ଅବା ଦୂର ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରିବା ହେଉ, ସ୍କାଏପି ଯୋଗାଯୋଗର ମାଧ୍ୟମ ପାଲଟିଥିଲା । ହେଲେ ଏବେ କିନ୍ତୁ କମ୍ପାନୀ ସବୁଦିନ ପାଇଁ ଏହାର ସେବା ବନ୍ଦ କରିବାକୁ ନିଷ୍ପତି ନେଇଛି ।