ଉତ୍ତର ପ୍ରଦେଶ: ଇତ୍ତେହାଦେ-ମିଲ୍ଲତ କାଉଂସିଲର ଅଧ୍ୟକ୍ଷ ମୌଲାନା ତୌକୀର ରଜା ପୁଣି ଥରେ ଇସଲାମ ଧର୍ମକୁ ନେଇ ବିବାଦକୁ ଆସିଛନ୍ତି । ବରେଲି ଦଙ୍ଗାର ମାଷ୍ଟରମାଇଣ୍ଡ ତୌକୀର ରଜା ସାମୂହିକ ଧର୍ମ ପରିବର୍ତ୍ତନ ସଭା ଆୟୋଜନ କରିବାକୁ ଘୋଷଣା କରିଛନ୍ତି । ଇସଲାମ ଧର୍ମ ପରିବର୍ତ୍ତନ କରିବାକୁ ୨୧ ଜଣ ତାଙ୍କ ନିକଟକୁ ପତ୍ର ପଠାଇଥିବା ସେ ଦାବି କରିଛନ୍ତି । ଏଥିପାଇଁ ସେ ପ୍ରଶାସନର ଅନୁମତି ମାଗିଛନ୍ତି ।
ମୌଲାନା ତୌକୀର ରଜା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଇସଲାମ ଧର୍ମ ପରିବର୍ତ୍ତନ କରିବାକୁ ୨୧ ଜଣ ହିନ୍ଦୁ ଯୁବକ ଓ ଯୁବତୀ ଆବେଦନ କରିଛନ୍ତି । ଏଥି ମଧ୍ୟରୁ ୧୫ ଜଣ ଯୁବତୀ ରହିଥିବାବେଳେ ୮ ଜଣ ଯୁବକ ରହିଛନ୍ତି । ଏମାନଙ୍କ ମଧ୍ୟରୁ ୫ଟି ଯୋଡ଼ିଙ୍କର ବିବାହ କରାଯିବ । ଆସନ୍ତା ୨୧ ଜୁଲାଇରେ ସକାଳ ୧୧ଟା ସମୟରେ ଖଲୀଲ ବିଦ୍ୟାଳୟରେ କଲମା ଓ ନମାଜ ପାଠ କରାଯାଇ ଧର୍ମ ପରିବର୍ତ୍ତନ କରାଯିବ । ଏହା ପରେ ୫ଟି ଯୋଡ଼ିଙ୍କର ବିବାହ ଅନୁଷ୍ଠିତ ହେବ । ଏଥିପାଇଁ ସେ ପ୍ରଶାସନର ଅନୁମତି ମାଗିଛନ୍ତି ।
ସେ କହିଛନ୍ତି ଯେ ଦେଶରେ ବହୁତ ମୁସଲମାନ ଝିଅ ଏବଂ ପୁଅ ହିନ୍ଦୁ ଧର୍ମ ପରିବର୍ତ୍ତନ କରୁଛନ୍ତି । ଏଥିପାଇଁ ପ୍ରଶାସନ କୌଣସି ଆପତ୍ତି ଉଠାଉ ନାହିଁ । କିନ୍ତୁ ଆମେ ପ୍ରଶାସନର ଅନୁମତି ମାଗିଛୁ । ଯଦି ପ୍ରଶାସନ ଅନୁମତି ପ୍ରଦାନ ନ କରେ ତେବେ ସ୍ପଷ୍ଟ କାରଣ ଦେବାକୁ ପଡ଼ିବ ।
ଏହି ପରିପ୍ରେକ୍ଷୀରେ ଧାର୍ମିକ ନେତା ପଣ୍ଡିତ ସୁଶୀଲ କୁମାର ପାଠକ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ମୌଲାନା ତୌକୀର ରଜା ଶ୍ରାବଣ ମାସରେ ସହରର ପରିବେଶକୁ ନଷ୍ଟ କରିବାକୁ ଚାହୁଁଛନ୍ତି । ସେ କହିଛନ୍ତି ଯେ ଏପରି ଅନେକ ପିଲା ଅଛନ୍ତି ଯେଉଁମାନେ ସ୍ୱଇଚ୍ଛାରେ ବିବାହ କରନ୍ତି, ସେମାନେ ହିନ୍ଦୁ କିମ୍ବା ମୁସଲମାନ ହୁଅନ୍ତୁ । କିନ୍ତୁ କୌଣସି ସ୍ଥାନରେ କୌଣସି ଅସୁବିଧା ନାହିଁ । କିନ୍ତୁ ଏହିପରି ଧର୍ମ ପରିବର୍ତ୍ତନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ।