ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ପ୍ରୟାଗରାଜରେ ଚାଲିଛି ମହାକୁମ୍ଭ ମେଳା । କୋଟି କୋଟି ଭକ୍ତ, ସାଧୁ, ସନ୍ଥ, ଶ୍ରଦ୍ଧାଳୁ ସମସ୍ତେ ଏହା ପ୍ରୟାଗରାଜ ମୁହାଁ । ୧୪୪ ବର୍ଷ ପରେ ପ୍ରୟାଗରାଜରେ ଏଥର ମହାକୁମ୍ଭ ମେଳାର ଆୟୋଜନ ଚାଲିଛି । ଏଥିପାଇଁ ସମସ୍ତେ ଧାର୍ମିକ ନଗରୀକୁ ଧାଇଁ ଆସି ବୁଡ଼ ପକାଉଛନ୍ତି ।ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜର ପୁରା ମନ୍ତ୍ରୀମଣ୍ଡଳ ସହ ଏଠାରେ ସ୍ନାନ କରିଛନ୍ତି । ଏହାପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ସେଠାରେ ସ୍ନାନ କରିଥିବା ବେଳେ ଗତକାଲି ଗୃହମନ୍ତ୍ରୀ ଅମିତଶାହା ବୁଡ଼ ପକାଇଛନ୍ତି । କେବଳ ସେତିକି ନୁହେଁ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ବି ସେଠାରେ ବୁଡ଼ ପକାଇସାରିଛନ୍ତିି ।
ଦେଶ ବିଦେଶରୁ କୋଟି କୋଟି ଶ୍ରଦ୍ଧାଳୁ ସମସ୍ତେ ପବିତ୍ର ସ୍ନାନ କରିବାକୁ ପ୍ରୟାଗରାଜ ଅଭିମୁଖେ ଯାଉଛନ୍ତି । ଏହାରି ଭିତରେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ମହାକୁମ୍ଭ ବୁଡ଼କୁ ନେଇ ବଡ଼ ବିବାଦୀୟ ବୟାନ୍ ଦେଇଛନ୍ତି । ଖଡ଼ଗେ କହିଛନ୍ତି, ମହାକୁମ୍ଭରେ ସ୍ନାନ କରିବା ଦ୍ୱାରା ଦାରିଦ୍ରତା ଦୂର ହେବ କି? ଏଥିସହ ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭରେ ଭାରତୀୟ ଜନତା ପାର୍ଟିର ନେତା ମାନେ କ୍ୟାମେରା ସ୍ନାମାରେ ଗାଧୋଉଥିବା ନେଇ ଅଭିଯୋଗ କରିଛନ୍ତି ଖଡ଼ଗେ ।
ମଧ୍ୟପ୍ରଦେଶର ମହୁରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଖଡ଼ଗେ କହିଛନ୍ତି, ବିଜେପିର ନେତାମାନେ କ୍ୟାମେରାରେ ଭଲ ଦେଖାଯିବା ପର୍ଯ୍ୟନ୍ତ ଗାଧୋଉଛନ୍ତି । ଗଙ୍ଗାରେ ଗାଧେଇବା ଦ୍ୱାରା ଦାରିଦ୍ର୍ୟ ଦୂର ହୋଇଥାଏ କି ବୋଲି ପ୍ରଶ୍ନ କରିଛନ୍ତିି ଖଡ଼ଗେ । ଏଥିସହ ସେ କହିଛନ୍ତି ମୁଁ କାହାର ବିଶ୍ୱାସ ଉପରେ ପ୍ରଶ୍ନ କରିବାକୁ ଚାହୁଁନି, ଯଦି କେହି ଏଥିରେ ଅସନ୍ତୁଷ୍ଟ ହୋଇଥାନ୍ତି, ତେବେ ମୁଁ କ୍ଷମାପ୍ରାର୍ଥନା କରୁଛି ବୋଲି ଖଡ଼ଗେ କହିଛନ୍ତି ।
ସେପଟେ ମହାକୁମ୍ଭରେ ସ୍ନାନକୁ ନେଇ ଖଡ଼ଗେ କରିଥିବା ସମାଲୋଚନାର ଜବାବ ରଖିଛି ବିଜେପି । ବିଜେପି କହିଛି, କ୍ଷମତାକୁ ଆସିଲେ ସନାତନ ଧର୍ମକୁ ଶେଷ କରିଦେବ କଂଗ୍ରେସ ।