ଉତ୍ତରପ୍ରଦେଶ: ୧୩ ଜାନୁୟାରୀରୁ ଉତ୍ତରପ୍ରଦେଶରେ ହେବାକୁ ଯାଉଛି ମହାକୁମ୍ଭ ମେଳା । ପ୍ରୟାଗରାଜରେ ଏକାଠି ହେବେ କୋଟି କୋଟି ଶ୍ରଦ୍ଧାଳୁ । ତେବେ ଆପଣ ଜାଣନ୍ତି କି, ସଙ୍ଗମତଟରେ ବୁଡ଼ ପକାଇବା ପୂର୍ବରୁ ଏଭଳି ଏକ ମନ୍ଦିର ରହିଛି, ଯେଉଁଠି ଦର୍ଶନ କରିବା ପରେ ମହାକୁମ୍ଭ ମେଳାକୁ ଯାଇଥାନ୍ତି ଶ୍ରଦ୍ଧାଳୁ ।
ଏହି ମନ୍ଦିର ହେଉଛି ବାସୁକି ନାଗ ମନ୍ଦିର । ସଙ୍ଗମ ନଗରୀ ପ୍ରୟାଗରାଜର ସଙ୍ଗମତଟର ଉତ୍ତର ଦିଗରେ ରହିଛି ଏହି ମନ୍ଦିର । ଏହି ମନ୍ଦିର ପ୍ରାଚୀନ ସମୟରୁ ରହିଛି । ଏଠାରେ ନାଗଙ୍କ ରାଜ ବାସୁକି ନାଗ ବିରାଜମାନ ରହିଛନ୍ତି । ତେବେ ଏହି ମନ୍ଦିର ସହ କୁମ୍ଭମେଳାର ଅନେକ ସାମଞ୍ଜସ୍ୟ ରହିଛି । ପ୍ରୟାଗରାଜ ଆସୁଥିବା ସମସ୍ତ ଶ୍ରଦ୍ଧାଳୁ ପ୍ରଥମେ ଏହି ମନ୍ଦିରରେ ପରିଦର୍ଶନ କରନ୍ତି । ପୌରାଣିକ ବିଶ୍ୱାସ ରହିଛି, ଏହି ମନ୍ଦିରରେ ଦର୍ଶନ କରି ପ୍ରୟାଗରାଜରେ ବୁଡ଼ ପକାଇଲେ ତୀର୍ଥଯାତ୍ରାଙ୍କ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ।
ନାଗବାସୁକି ମନ୍ଦିରକୁ ନେଇ ରହିଛି ଅନେକ ପୌରାଣିକ ଗାଥା । ଏଠାରେ ପୂଜା କରିବା ଦ୍ୱାରା କାଳ ସର୍ପଦୋଷ ସବୁଦିନ ପାଇଁ ଦୂର ହୁଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି ।
ମୋଗଲ ଶାସନ ସମୟରେ ଔରଙ୍ଗଜେବ ଯେତେବେଳେ ଏହି ମନ୍ଦିର ଭାଙ୍ଗିବାକୁ ଆସିଥିଲେ, ସେତେବେଳେ ବାସୁକି ନାଗ ନିଜର ଏଭଳି ବିକଟାଳ ରୂପ ଦେଖାଇଥିଲେ, ଯାହାକୁ ଦେଖି ସେ ଡରରେ ବେହୋସ୍ ହୋଇଯାଇଥିଲେ । ନାଗବାସୁକି ମନ୍ଦିରରେ ଶେଷ ନାଗ ଏବଂ ବାସୁକି ନାଗର ମୂର୍ତ୍ତି ରହିଛି । କୁମ୍ଭ ମେଳା, ମାଘ ମେଳା, ନାଗ ପଞ୍ଚମୀ ଦିନ ଏଠାରେ ଲକ୍ଷାଧିକ ତୀର୍ଥଯାତ୍ରୀଙ୍କ ଭିଡ଼ ଜମେ ।