ଲକ୍ଷ୍ନୌ: ବହୁ ଚର୍ଚ୍ଚିତ ଉତ୍ତର ପ୍ରଦେଶ କାସଗଂଜର ଚନ୍ଦନ ଗୁପ୍ତା ହତ୍ୟାକାଣ୍ଡ ମାମଲାରେ ଏନ୍ଆଇଏର ସ୍ୱତନ୍ତ୍ର ଅଦାଲତ ଶୁଣାଣି କରିଛନ୍ତି । ହତ୍ୟାକାଣ୍ଡରେ ଏକକାଳୀନ ୨୮ ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ଦୀର୍ଘ ୭ ବର୍ଷର ନ୍ୟାୟିକ ସଂଘର୍ଷର ଯାତ୍ରା ପରେ ପୁଅକୁ ନ୍ୟାୟ ମିଳିଲା ପରେ ପରିବାର ଲୋକ ଖୁସିରେ ବିଭୋର ହୋଇପଡ଼ିଛନ୍ତି । ଚନ୍ଦନଙ୍କ ମାତା ସଙ୍ଗୀତା ଗୁପ୍ତା ଏବଂ ବାପା ସୁଶୀଲ ତ୍ରିରଙ୍ଗା ଉଡ଼ାଇଛନ୍ତି । ତଥାପି ପରିବାର ମନରେ ଟିକେ ଦୁଃଖ ରହିଯାଇଛି । କାରଣ ଦୋଷୀଙ୍କୁ ଫାଶୀ ଦଣ୍ଡରେ ଦେଖିବାକୁ ଚାହୁଁଥିଲା ପରିବାର ।
ଚନ୍ଦନଙ୍କ ମାଆ କହିଛନ୍ତି, ନ୍ୟାୟ ମିଳିଛି, କିନ୍ତୁ ଟିକେ କମି ରହିଯାଇଛି । ପୁଅକୁ ଯେଉଁମାନେ ଗୁଳି ମାରିଥିଲେ ସେମାନଙ୍କୁ ଫାଶୀରେ ଝୁଲାଇବାର ଥିଲା । ଅନ୍ୟପକ୍ଷରେ ବାପା ସୁଶୀଲ ଗୁପ୍ତା ଅଦାଲତଙ୍କ ନ୍ୟାୟକୁ ସମ୍ମାନ ଜଣାଇଛନ୍ତି । ଆଜି କୋର୍ଟରୁ ଶୁଣାଣି ଖବର ଆସିବା ପରେ ପରିବାର ଲୋକ ଛାତ ଉପରେ ଉଡ଼ାଇଛନ୍ତି ତ୍ରିରଙ୍ଗା । କାରଣ ତ୍ରିରଙ୍ଗା ଯାତ୍ରାବେଳେ ହିଁ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ।
ତ୍ରିରଙ୍ଗା ଯାତ୍ରା ବେଳେ ହୋଇଥିଲା ହତ୍ୟାକାଣ୍ଡ
୨୦୧୮ ଜାନୁୟାରୀ ୨୬ ତାରିଖରେ କାସଗଂଜର ଚନ୍ଦନ ଗୁପ୍ତାଙ୍କୁ ହତ୍ୟା କରାଯାଇଥିଲା । ତ୍ରିରଙ୍ଗା ଯାତ୍ରା ଚାଲିଥିବାବେଳେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ତ୍ରିରଙ୍ଗା ଯାତ୍ରାବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଏଥିରେ ଗୋଟିଏ ଗୋଷ୍ଠୀର ଲୋକ ଚନ୍ଦନଙ୍କୁ ଗୁଳି କରି ହତ୍ୟା କରିଥିଲେ । ଏହି ଘଟଣା ସେତେବେଳେ ଉତ୍ତର ପ୍ରଦେଶରେ ବଡ଼ ପ୍ରସଙ୍ଗ ହୋଇଥିଲା । ହିଂସାର ନିଆଁରେ ଜଳି ଉଠିଥିଲା କାସଗଂଜ । ତାଙ୍କ ବାପା ସୁଶୀଲ ଗୁପ୍ତାଙ୍କ ଏତଲା ଆଧାରରେ ପୋଲିସ ୩୦ ଜଣ ଅଭିଯୁକ୍ତଙ୍କୁ କରିଥିଲା । ପୋଲିସ ମୁଖ୍ୟ ଅଭିଯୁକ୍ତ ୩ ଭାଇ ୱାସିମ, ନସୀମ ଏବଂ ସଲୀମଙ୍କ ସହିତ ୧୦୦ ଜଣଙ୍କୁ ଗିରଫ କରିଥିଲା । ପରେ କିଛି ଲୋକ ଖଲାସ ହୋଇଥିଲେ । ୨୬ ଅପ୍ରେଲରେ କାସଗଂଜ ପୋଲିସ ଚାର୍ଜସିଟ୍ ଦାଖଲ କରିଥିଲା ।