ସିଡ୍ନୀ: ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ର ଏହି ଶେଷ ମ୍ୟାଚ୍ ସିଡନୀରେ ଖେଳାଯାଉଛି। ଆଜି ଏହି ମ୍ୟାଚର ଦ୍ୱିତୀୟ ଦିନ। ପ୍ରଥମ ଦିନରେ ଶୁକ୍ରବାର ଭାରତୀୟ ଦଳ ୧୮୫ ରନ୍ରେ ସୀମିତ ରହିଥିଲା। ଅଷ୍ଟ୍ରେଲିଆ ମଧ୍ୟ ୯ ରନ୍ରେ ଗୋଟିଏ ୱିକେଟ୍ ହରାଇଥିଲା। ଅଷ୍ଟ୍ରେଲିଆର ଶ୍ରେଷ୍ଠ ୫ ବ୍ୟାଟ୍ସମ୍ୟାନ୍ ୧୦୦ ରନ୍ ଭିତରେ ଫେରିଥିଲେ। ବ୍ୟାଟିଂ ପାଇଁ କଠିନ ପିଚ୍ରେ ଭାରତୀୟ ଦ୍ରୁତବୋଲରମାନେ ଭଲ ବୋଲିଂ କରିଛନ୍ତି। ଭାରତୀୟ ବୋଲରମାନେ ଏଠାରେ ନିଜର ଶ୍ରେଷ୍ଠତାକୁ ପ୍ରମାଣିତ କରିଛନ୍ତି। ଫଳରେ ଘରୋଇ ଟିମ୍ ୧୮୧ ରନ୍ରେ ଅଲ୍ ଆଉଟ୍ ହୋଇଛି। ଫଳରେ ଭାରତ ପ୍ରଥମ ପାଳି ଆଧାରରେ ୪ ରନ୍ରେ ଆଗୁଆ ରହିଛି।
ଅଷ୍ଟ୍ରେଲିଆ ପକ୍ଷରୁ ବିଉ ୱେବଷ୍ଟର ସର୍ବାଧିକ ୫୭ ରନ୍ କରିଥିଲେ। ଭାରତ ପକ୍ଷରୁ ମହମ୍ମଦ ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣା ୩ଟି ଲେଖାଏଁ ୱିକେଟ୍ ନେଇଥିଲେ। ଯଶପ୍ରୀତ ବୁମ୍ରା ଓ ନୀତୀଶ କୁମାର ରେଡ୍ଡୀ ୨ଟି ଲେଖାଏଁ ୱିକେଟ୍ ପାଇଥିଲେ।
ଅଷ୍ଟ୍ରେଲିଆର ବ୍ୟାଟର ଆଲେକ୍ସେ କେରି ୨୧ ରନ୍, ଅଧିନାୟକ ପେଟ୍ କମିନ୍ସ ୧୦ ରନ୍ ଓ ମିଚେଲ ଷ୍ଟାର୍କ ୧ ରନ୍ କରିଥିଲେ। ନାଥନ ଲାୟନ ଓ ସ୍କଟ ବୋଲାଣ୍ଡ ମେଲବର୍ଣ୍ଣ ଭଳି କାରନାମା କରିପାରି ନଥିଲେ। ଉଭୟଙ୍କ ବ୍ୟାଟିଂରେ ବଡ଼ ଭାଗିଦାରୀ କରିବାକୁ ଦେଇ ନଥିଲେ ଭାରତୀୟ ବୋଲର। ନାଥାନ ଲାୟନ ଅପରାଜିତ ୭ ରନ୍ ସଂଗ୍ରହ କରିଥିବା ବେଳେ ସିରାଜଙ୍କ ବଲ୍ରେ ବୋଲାଣ୍ଡ ବୋଲ୍ଡ ହୋଇଥିଲେ। କିନ୍ତୁ ଏହା ପୂର୍ବରୁ ସେ ୧୦୦ ଷ୍ଟ୍ରାଇକ୍ରେ ୯ଟି ବଲ୍ ଖେଳି ୯ ରନ୍ ସଂଗ୍ରହ କରିଥିଲେ।
ପ୍ରସିଦ୍ଧ କ୍ରିଷ୍ଣା ୩୩ ରନ୍ ସ୍କୋରରେ ଷ୍ଟିଭ୍ ସ୍ମିଥଙ୍କୁ କେଏଲ୍ ରାହୁଲଙ୍କ ହାତରେ କ୍ୟାଚ୍ କରାଇଥିଲେ। ଏହା ପୂର୍ବରୁ ଅଷ୍ଟ୍ରେଲିଆ ପାଇଁ ପ୍ରାରମ୍ଭିକ ବ୍ୟାଟର ଉସମାନ ଖୱାଜା ୨ ରନ୍, ସାମ କୋନ୍ଷ୍ଟାସ ୨୩ ରନ୍, ମାର୍ନସ ଲାବୁସାନ୍ ୨ ରନ୍, ଟ୍ରାଭିସ୍ ହେଡ୍ ୪ ରନ୍ କରି ଆଉଟ୍ ହୋଇଥିଲେ। ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ହାତରେ ସାମ୍ କୋନ୍ଷ୍ଟାସ୍ ଓ ଟ୍ରାଭିସ୍ ହେଡ୍ ଆଉଟ୍ ହୋଇଥିଲେ।
ଅଧିକ ପଢ଼ନ୍ତୁ: ଅବସର ନେଇ ନୀରବ ରହିଲେ ରୋହିତ ଶର୍ମା