ସିଡ୍ନୀ: ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଏବେ ବି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ରୋହିତ ଶର୍ମା ସିଡ୍ନୀ ଟେଷ୍ଟ୍ ନ ଖେଳିବାକୁ ନିଷ୍ପତ୍ତି ନେଇଥିଲେ, ଯାହା ପରେ ତାଙ୍କ ଲମ୍ବା ଫର୍ମାଟ୍ କ୍ୟାରିୟର ଠପ୍ ହୋଇଯାଇଛି ବୋଲି ଖବର ଆସିବା ଆରମ୍ଭ ହୋଇଥିଲା। ଅନେକ ରିପୋର୍ଟରେ ଦାବି କରାଯାଇଛି ଯେ ରୋହିତ ଶର୍ମା ତାଙ୍କର ଶେଷ ଟେଷ୍ଟ୍ ଖେଳିଛନ୍ତି ଏବଂ ଏବେ ସେ ଯେକୌଣସି ସମୟରେ ଅବସର ଘୋଷଣା କରିବେ।
ରୋହିତ ଶର୍ମା କିଛି ଦିନ ହେବ ଖରାପ ଫର୍ମ ସହ ସଂଘର୍ଷ କରୁଛନ୍ତି। ଚଳିତ ବର୍ଡର-ଗାଭାସ୍କର ଟ୍ରଫିରେ ସେ ୩ଟି ଟେଷ୍ଟରେ ମାତ୍ର ୩୧ ରନ୍ କରିଛନ୍ତି। ଏହି ପରିସଂଖ୍ୟାନକୁ ଦୃଷ୍ଟିରେ ରଖି ରୋହିତଙ୍କ ଉପରେ ଦଳରେ ଅନ୍ୟ କାହା ପାଇଁ ସ୍ଥାନ ଖାଲି କରିବା ପାଇଁ ଚାପ ବଢିବାରେ ଲାଗିଥିଲା । ସିଡନୀ ଟେଷ୍ଟ ପୂର୍ବରୁ ରୋହିତ ଶର୍ମା ଚୂଡ଼ାନ୍ତ ୧୧ରୁ ଓହରିବା ପାଇଁ ସାହସିକ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚକିତ କରିଦେଇଥିଲେ। ଏହାପରେ ରୋହିତ ଖୁବ୍ ଶୀଘ୍ର ଟେଷ୍ଟରୁ ଅବସର ଘୋଷଣା କରିବେ ବୋଲି ଖବର ପ୍ରକାଶ ପାଇଥିଲା।
ସିଡନୀ ଟେଷ୍ଟର ଦ୍ୱିତୀୟ ଦିନରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଅବସର ନେଇ ଚାଲିଥିବା ଗୁଜବକୁ ଖଣ୍ଡନ କରିଛନ୍ତି। ମଧ୍ୟାହ୍ନ ଭୋଜନ ବିରତି ସମୟରେ ସେ ବ୍ରଡକାଷ୍ଟରଙ୍କୁ କହିଥିଲେ ଯେ ସେ ଅବସର ନେଉନାହାଁନ୍ତି ଏବଂ ସେ କ'ଣ କରୁଛନ୍ତି ତାହା ଜାଣିବା ପାଇଁ ଯଥେଷ୍ଟ ପରିପକ୍ୱ ଅଟନ୍ତି। ତେବେ ରୋହିତ ଶର୍ମା ଅବସର ଖବରକୁ ଖଣ୍ଡନ କରି ନିଜ ପ୍ରଶଂସକଙ୍କୁ ଖୁସି କରିଛନ୍ତି।
ରୋହିତ କହିଛନ୍ତି, ମୁଁ ଏହି ଟେଷ୍ଟରୁ ଓହରିଯାଇଥିଲି। କିନ୍ତୁ ମୁଁ କୌଣସି ସ୍ଥାନକୁ ଯାଉନାହିଁ। ଏହା ଅବସର କିମ୍ବା ଫର୍ମାଟରୁ ଦୂରେଇ ଯିବା ବିଷୟରେ ନୁହେଁ। ମାଇକ୍, ପେନ୍ କିମ୍ବା ଲାପଟପ୍ରେ ଜଣେ ବ୍ୟକ୍ତି କ'ଣ କହୁଛନ୍ତି କିମ୍ବା ଲେଖୁଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ। ସେମାନେ ଆମ ବିଷୟରେ ନିଷ୍ପତ୍ତି ନେଇପାରିବେ ନାହିଁ। ସିଡନୀ ଆସିବା ପରେ ମୁଁ ପ୍ଲେଇଂ ୧୧ରୁ ଓହରିଯିବାକୁ ନିଷ୍ପତ୍ତି ନେଇଥିଲି। ହଁ, ରନ୍ ହୋଇପାରୁନାହିଁ, କିନ୍ତୁ ଦୁଇ କିମ୍ବା ଛଅ ମାସ ପରେ ଆପଣ ରନ୍ କରିପାରିବେ ନାହିଁ ବୋଲି କୌଣସି ଗ୍ୟାରେଣ୍ଟି ନାହିଁ। ମୁଁ କ'ଣ କରୁଛି ତାହା ଜାଣିବା ପାଇଁ ମୁଁ ଯଥେଷ୍ଟ ପରିପକ୍ବ।
ଅଧିକ ପଢ଼ନ୍ତୁ: ବିଦ୍ୟାଳୟରେ ଗଣ୍ଡଗୋଳ ପାଇଁ ଏମିତି କଲେ ୪ ଜଣ ନାବାଳକ