ନୂଆଦିଲ୍ଲୀ: ବିଶ୍ୱ ବଜାରରେ ତୈଳ ସଙ୍କଟକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ସାଧାରଣ ଜନତାଙ୍କୁ ଦେଇଥିବା ପରାମର୍ଶର ପ୍ରଭାବ ଧିରେ ଧିରେ ଦେଖିବାକୁ ମିଳିଛି । କାର୍ ବଦଳରେ ବଡ଼ ବଡ଼ ଅଧିକାରୀମାନେ ଏବେ ସାଇକେଲ ଏବଂ ରିକ୍ସା ବ୍ୟବହାର କରିବାକୁ ଆରମ୍ଭ କରିଛନ୍ତି । ଯାହାର ଉଦାହରଣ ସାଜିଛନ୍ତି ମଧ୍ୟ ପ୍ରଦେଶ ହାଇକୋର୍ଟ ବିଚାରପତି । ଏମପି ହାଇକୋର୍ଟ ବିଚାରପତି ନିଜେ ସାଇକେଲରେ କୋର୍ଟ କାର୍ଯ୍ୟାଳୟରେ ପହଁଚିଛନ୍ତି । ସେହିପରି ଲଘୁ ଉଦ୍ୟୋଗ ନିଗମ ଅଧ୍ୟକ୍ଷ ଇ-ରିକ୍ସାରେ ଯାତ୍ରା କରିଛନ୍ତି । ସେହିପରି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ସି.ଆର୍.ପାଟିଲ ମଧ୍ୟ ନିଜ ସୁରକ୍ଷା ବଳୟ ହ୍ରାସ କରିବା ଭଳି ବଡ଼ ନିଷ୍ପତ୍ତି ନେଇଛନ୍ତି ।
ମଧ୍ୟ ପ୍ରଦେଶ ହାଇକୋର୍ଟ ବିଚାରପତି ଡି.ଡି ବଂଶଲ ନିଜେ ସାଇକେଲ ଚଲାଇ କୋର୍ଟକୁ ଆସିଛନ୍ତି । ସିବିଲ୍ ଲାଇନ୍ସରେ ଥିବା ନିଜ ସରକାରୀ ବାସଭବନରୁ ପ୍ରାୟ ତିନି କି.ମି ଯାଏଁ ସେ ସାଇକଲ ଚଲାଇକି ଆସିଛନ୍ତି । ତାଙ୍କର କୋର୍ଟ ସହାୟକମାନେ ମଧ୍ୟ ତାଙ୍କ ଟିଫିନ୍ ଏବଂ ବ୍ୟାଗ୍ ଧରି ସାଇକେଲରେ ତାଙ୍କ ପଛେ ପଛେ ଆସିଥିଲେ । ବଂଶଲ ପ୍ରଧାନମନ୍ତ୍ରୀ ଏବଂ ହାଇକୋର୍ଟ ମୁଖ୍ୟ ବିଚାରପତି ସଞ୍ଜିବ ସଚଦେବାଙ୍କ ପ୍ରେରଣାରେ ସେ ସାଇକଲ ଚଲାଇ ଆସିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ।
ସେହିପରି ଭୋପାଲର ନବନିଯୁକ୍ତ ଲଘୁ ଉଦ୍ୟୋଗ ନିଗମ ଅଧ୍ୟକ୍ଷ ସତ୍ୟେନ୍ଦ୍ର ଭୂଷଣ ମଧ୍ୟ ଇ-ରିକ୍ସାରେ ଯାତ୍ରା କରିଛନ୍ତି । ସତ୍ୟେନ୍ଦ୍ର ଭୂଷଣ ବିଜେପି କାର୍ଯ୍ୟାଳୟ ଏବଂ ଲଘୁ ଉଦ୍ୟୋଗ କାର୍ଯ୍ୟାଳୟରେ ପହଁଚି ସେ ପଦବୀ ଗ୍ରହଣ କରିଛନ୍ତି ।
ଜନତାଙ୍କ ପାଇଁ ଆଉ ଏକ ଉଦାହରଣ ସାଜିଛନ୍ତି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ସି. ଆର୍ ପାଟିଲ । ସେ ନିଜର ସୁରକ୍ଷା କର୍ମୀ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେ ଏସ୍କର୍ଟ ଗାଡ଼ି ଏବଂ ପାଇଲଟ୍ ଭ୍ୟାନ୍ ନେବାକୁ ମନା କରି ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ ଉତ୍ତରାଖଣ୍ଡ ଗସ୍ତ ସମୟରେ ଏସ୍କର୍ଟ ଗାଡ଼ି ଏବଂ ପାଇଲଟ୍ ଭ୍ୟାନ୍ ନ ଦେବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଥିଲେ । ସାଧାରଣତଃ କୌଣସି କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ସମୟରେ ରାଜ୍ୟ ପୋଲିସର ଏସ୍କର୍ଟ ଭ୍ୟାନ ସେମାନଙ୍କୁ ସୁରକ୍ଷା ଯୋଗାଇ ଥାଆନ୍ତି ।