ଉଡାଣ ଭରିବାକୁ ଯାଉଥିବା ଏକ ବିମାନରେ ନିଆଁ ଲାଗିଯାଇଛି । ବିମାନରେ ପାଖାପାଖି ୨୮୦ ଯାତ୍ରୀ ଥିବାବେଳେ ଏହି ଅଘଟଣ ଘଟିଥିଲା । ବିମାନ ଉଡାଣ ଭରିବା ପୂର୍ବରୁ ନିଆଁ ଲାଗିଥିବାରୁ ବଡ ଅଘଟଣ ଟଳି ଯାଇଛି । ମଙ୍ଗଳବାର ଚେନ୍ନାଇର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏହି ଅଘଟଣ ଘଟିଥିଲା । ବିମାନର ବାମ ୱିଙ୍ଗରେ ନିଆଁ ଲାଗିଯାଇଥିଲା । ବିମାନ ରନୱେରୁ ଉଡାଣ ଭରିବାକୁ ଯାଉଥିବା ସମୟରେ ନିଆଁ ଲାଗିଥିବା ଦେଖିଥିଲେ ବିମାନର ପାଇଲଟ। ଏହା ପରେ ଉଡାଣ ବନ୍ଦ କରାଯାଇଥିଲା ଓ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।
ଆଜି ଅପରାହ୍ନରେ ଚେନ୍ନାଇର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏହି ଅଘଟଣ ଘଟିଛି । ଏତିହାଡ଼ ଏୟାରୱେସର ଫ୍ଲାଇଟ ନମ୍ବର EY343 ରେ ନିଆଁ ଲାଗିଥିଲା । ଏହି ବିମାନଟି ଚେନ୍ନାଇରୁ ଆବୁଧାବି ଯାଉଥିଲା ଓ ପାଖାପାଖି ୨୮୦ ଯାତ୍ରୀ ଏଥିରେ ଯାତ୍ରା କରୁଥିଲେ । ବିମାନ ବନ୍ଦର ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ସମସ୍ତ ଯାତ୍ରୀ ଓ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି । ଦମକଳ ବାହିନୀ ତୁରନ୍ତ ନିଆଁକୁ ଆୟତ୍ତ କରିବା ସହ ଏହି ବିମାନକୁ ରଦ୍ଦ କରଯାଇଛି ।