ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ଆଜି (ମଙ୍ଗଳବାର) ସକାଳେ ବଡ଼ ଧରଣର ଡ୍ରଗ୍ସ ଚାଲାଣ ଧରାପଡ଼ିଛି। ଡାଇରେକ୍ଟରେଟ୍ ଅଫ୍ ରେଭେନ୍ୟୁ ଇଣ୍ଟେଲିଜେନ୍ସ (ଡିଆରଆଇ) ଓ କଷ୍ଟମ୍ସ ବିଭାଗର ମିଳିତ ଚଢ଼ାଉରେ ପ୍ରାୟ ୧୧ କେଜି ‘ହାଇଡ୍ରୋପୋନିକ୍ ଗଞ୍ଜେଇ’ ବା ମାରିଜୁଆନା ଜବତ କରାଯାଇଛି। ଆନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ପ୍ରାୟ ୪ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।
ସୂଚନା ଅନୁସାରେ, ବ୍ୟାଙ୍କକରୁ ଭୁବନେଶ୍ୱର ଆସୁଥିବା ଏକ ଇଣ୍ଡିଗୋ ବିମାନରେ ଦୁଇ ଜଣ ତାମିଲ୍ ଯୁବକ ଏହି ମାଦକ ଦ୍ରବ୍ୟ ଚାଲାଣ କରୁଥିଲେ। ପୂର୍ବରୁ ମିଳିଥିବା ଗୁପ୍ତ ସୂଚନା ଆଧାରରେ ଡିଆରଆଇ ଓ କଷ୍ଟମ୍ସ ଅଧିକାରୀମାନେ ବିମାନବନ୍ଦରରେ ନଜର ରଖିଥିଲେ। ସନ୍ଦେହଜନକ ଭାବେ ଯାଉଥିବା ଦୁଇ ଯୁବକଙ୍କୁ ଅଟକାଇ ସେମାନଙ୍କ ବ୍ୟାଗ ତଲାସି କରାଯାଇଥିଲା। ତଲାସି ସମୟରେ ବ୍ୟାଗ ଭିତରୁ ବିପୁଳ ପରିମାଣର ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ ହୋଇଥିଲା।
ଧରାପଡ଼ିଥିବା ଦୁଇ ତାମିଲ୍ ଯୁବକଙ୍କୁ ବର୍ତ୍ତମାନ ଅଧିକାରୀମାନେ ଜେରା କରୁଛନ୍ତି। ଏହି ଚାଲାଣ ପଛରେ କେଉଁ ଆନ୍ତର୍ଜାତୀୟ ରାକେଟ୍ କାର୍ଯ୍ୟ କରୁଛି ଏବଂ ଏହାର ଲିଙ୍କ୍ ଓଡ଼ିଶା ପର୍ଯ୍ୟନ୍ତ କିପରି ପହଞ୍ଚିଲା, ସେନେଇ ତଦନ୍ତ ଜାରି ରହିଛି।
ଏଠାରେ କହିରଖୁଛୁ ଯେ, ହାଇଡ୍ରୋପୋନିକ୍ ଗଞ୍ଜେଇ ସାଧାରଣ ଗଞ୍ଜେଇଠାରୁ ଅଧିକ ନିଶାଜନକ ଓ ଦାମୀ। ବିଦେଶୀ ବଜାରରେ ଏହାର ଚାହିଦା ବେଶି ଥିବାରୁ ଡ୍ରଗ୍ସ ମାଫିଆମାନେ ଏହାକୁ ଗୁପ୍ତ ଭାବେ ଚାଲାଣ କରୁଥାନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ଏପରି ବଡ଼ ଧରଣର ଡ୍ରଗ୍ସ ଜବତ ଘଟଣା ସୁରକ୍ଷା ଏଜେନ୍ସିମାନଙ୍କ ଚିନ୍ତା ବଢ଼ାଇଦେଇଛି।