ଭୁବନେଶ୍ୱର: ବରଗଡ଼ରେ ଚାଷୀଙ୍କ ଇଚ୍ଛା ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ । ଯଦି ପ୍ରଶାସନିକ ସ୍ତରରେ ଭୁଲ ହୋଇଛି ତେବେ ଜିଲ୍ଲାପାଳଙ୍କୁ ଜଣାଇବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସବୁକିଛି ଆଲୋଚନା ଓ ତର୍ଜମା କରାଯିବ । ସେଥିରୁ କିଛି ନା କିଛି ନିଷ୍କର୍ଷ ବାହାରିବ । ଉତକ୍ଷିପ୍ତ ହୋଇ ଇଚ୍ଛା ମୃତ୍ୟୁ ପାଇଁ ଆବେଦନ ଦ୍ୱାରା କେବଳ ପରିବାର କ୍ଷତି ହେବେ । ତେଣୁ ଏଭଳି ଚିନ୍ତା ଧାରାରୁ ବିରତ ରହିବାକୁ ମନ୍ତ୍ରୀ କହିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ବରଗଡ଼ କାଲମୁଣ୍ଡାରେ ରୋହିତ ଭୋଇ ନାମକ ଜଣେ ଚାଷୀ ଇଚ୍ଛା ମୃତ୍ୟୁ ପାଇଁ ବରଗଡ଼ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିଛନ୍ତି । ସେ ଗତ ଖରିଫ ଋତୁରେ ୪ ଏକର ଜମିରେ ଚାଷ କରିଥିଲେ । କିନ୍ତୁ ଧାନ ବିକ୍ରି ହୋଇପାରିନଥିଲା । ଫଳରେ ସେ ଚିନ୍ତାଗ୍ରସ୍ତ ଥିଲେ । ପରିବାର ବହୁତ କଷ୍ଟରେ ଚଳୁଛନ୍ତି । ଘରେ ବୃଦ୍ଧ ବାପା ମାଆ ଥିବାବେଳେ ସେମାନଙ୍କ ଔଷଧ ଖର୍ଚ୍ଚ କିମ୍ବା ପିଲାଙ୍କୁ ମୌଳିକ ସୁବିଧା ମଧ୍ୟ ଯୋଗାଇ ଦେଇ ପାରୁନାହାଁନ୍ତି । ତେଣୁ ପରିବାରର ଦୁଃଖ କଷ୍ଟ ସେ ଆଉ ସହି ପାରୁନାହାଁନ୍ତି । ସେଥିପାଇଁ ସେ ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କରିଥିଲେ ।