କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ନିଖୋଜ ଘଟଣା। କୁଦାନଗରୀ ଥାନା ଅଞ୍ଚଳର ଏକ ହାଇସ୍କୁଲରେ ପଢ଼ୁଥିବା ୧୬ ବର୍ଷୀୟା ନାବାଳିକା ସୋମବାର ସକାଳୁ ଟ୍ୟୁସନ୍କୁ ଯାଇଥିଲେ, କିନ୍ତୁ ତା’ପରେ ଆଉ ଘରକୁ ଫେରିନଥିବାରୁ ପରିବାର ଲୋକଙ୍କ ଚିନ୍ତା ବଢ଼ିଯାଇଛି।
ପରିବାର ଲୋକଙ୍କ କହିବା ଅନୁସାରେ, ଝିଅଟି ପ୍ରତିଦିନ ପରି ସୋମବାର ମଧ୍ୟ ଟ୍ୟୁସନ୍ ପାଇଁ ବାହାରିଥିଲେ। କିନ୍ତୁ ସେ ଦିନ ସେ ନିଜ ସାଇକେଲ୍ ନେଇନଥିଲେ, ବରଂ ଜଣେ ସାଙ୍ଗ ସହିତ ଯାଇଥିଲେ। ସକାଳ ପ୍ରାୟ ୯ଟା ୩୦ ମିନିଟ ସମୟରେ ବନ୍ତଳା ନିକଟରେ ଝିଅଟିକୁ ଯାଉଥିବା କିଛି ସ୍ଥାନୀୟ ଲୋକ ଦେଖିଥିବା ନେଇ ତାଙ୍କ ମା’ କହିଛନ୍ତି। ତା’ପରେ ହଠାତ୍ ତାଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।
ଘଟଣାକୁ ୨୪ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ନାବାଳିକାଙ୍କ ଏବେ ସୁଦ୍ଧା କୌଣସି ଖୋଜ ମିଳିନଥିବାରୁ ପରିବାର ଲୋକ ଭୟ ଓ ଅଶାନ୍ତିରେ ଦିନ କାଟୁଛନ୍ତି। ଝିଅର ମା’ ସୋମବାର ଦିନ କୁଦାନଗରୀ ଥାନାରେ ଏନେଇ ଲିଖିତ ଅଭିଯୋଗ ଦାଖଲ କରିଥିବା ବେଳେ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ସ୍ଥାନୀୟ ଅଞ୍ଚଳରେ ଏହି ଘଟଣାକୁ ନେଇ ଉତ୍କଣ୍ଠା ବଢ଼ିଥିବା ବେଳେ ଶୀଘ୍ର ଛାତ୍ରୀଙ୍କୁ ଠାବ କରିବା ପାଇଁ ପରିବାର ଲୋକ ପୋଲିସ ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି।