ନୂଆଦିଲ୍ଲୀ: ପାକିସ୍ତାନ ପାଇଁ ଗୁପ୍ତଚରୀ କରିବା ଅଭିଯୋଗରେ ଗିରଫ ହୋଇଥିବା ହରିୟାଣାର ୟୁଟ୍ୟୁବର୍ ଜ୍ୟୋତି ମରହୋତ୍ରାଙ୍କୁ ନେଇ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାର ଲାଗିଛି । ତେବେ ଜ୍ୟୋତିଙ୍କ କିଛି ପୁରୁଣା ଫଟୋ ଓ ଭିଡ଼ିଓକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଜଣେ ପାକିସ୍ତାନ ଅଧିକାରୀଙ୍କ ସହିତ ଫଟୋ ଏବେ ଗଣମାଧ୍ୟମର ଶିରୋନାମା ପାଲଟିଛି । ଉକ୍ତ ବ୍ୟକ୍ତି ଜଣକ ଦିଲ୍ଲୀସ୍ଥିତ ପାକ୍ ଦୂତାବାସକୁ କେକ୍ ନେଇକି ଯାଉଥିବା ବ୍ୟକ୍ତି ଅଟନ୍ତି ବୋଲି ଏବେ ଜଣାପଡ଼ିଛି ।
୨୨ ଏପ୍ରିଲ, ପହଲଗାମ ଆକ୍ରମଣରେ ସାରା ଦେଶ ଦୋହଲି ଯାଇଥିଲା । କିନ୍ତୁ ତାର ଠିକ୍ ଦିନକ ପରେ ଅର୍ଥାତ୍ ୨୪ ଏପ୍ରିଲ ୨୦୨୫, ସମୟ ସକାଳ ୧୦ଟା ୪୦ ସମୟରେ ଦିଲ୍ଲୀସ୍ଥିତ ପାକ୍ ଦୂତାବାସକୁ ଜଣେ ବ୍ୟକ୍ତି କେକ୍ ଧରି ଯାଉଥିଲେ । ଯାହାକୁ ଗଣମାଧ୍ୟମ ପ୍ରତିନିଧିମାନେ ଘେରି ଯାଇଥିଲେ । ଦେଶରେ ଏତେ ବଡ଼ ଘଟଣା ଘଟିଯାଇଥିବାବେଳେ କେଉଁ ଖୁସିରେ କେକ୍ ନିଆଯାଉଛି, ପ୍ରଶ୍ନ କରିଥିଲେ । କିନ୍ତୁ ଉକ୍ତ ବ୍ୟକ୍ତି ଜଣକ କିଛି ବି ଉତ୍ତର ଦେଇ ନ ଥିଲେ । ଆଉ ଏହି ଭିଡ଼ିଓ ଗଣମାଧ୍ୟମରେ ଘୂରି ବୁଲିଥିଲା । ପହଲଗାମ ଆକ୍ରମଣ ଖୁସିରେ ପାକିସ୍ତାନ ଦୂତାବାସରେ କେକ୍ କଟା ଯାଉଥିଲା ବୋଲି ଚର୍ଚ୍ଚା ହୋଇଥିଲା । ସେହି ବ୍ୟକ୍ତି ଜଣକ ପାକ୍ ଦୂତାବାସରେ କାର୍ଯ୍ୟରତ ଥିଲେ । ଆଉ ସିଏ ପାକିସ୍ତାନ ଉଚ୍ଚ ଆୟୋଗ ଅଧିକାରୀ ଦାନିଶଙ୍କ ସାଥି ଅଟନ୍ତି ।
ତେବେ ଜ୍ୟୋତି ମଲହୋତ୍ରାଙ୍କ ସହିତ ସେହି ସମାନ ବ୍ୟକ୍ତିଙ୍କୁ ଏକ ଭିଡ଼ିଓରେ ଦେଖିବାକୁ ମିଳିଛି । ପାକିସ୍ତାନ ଉଚ୍ଚ ଆୟୋଗ ଅଧିକାରୀଙ୍କ ପାଟିରେ ସେହି ବ୍ୟକ୍ତି ଜଣକ ସହିତ ଜ୍ୟୋତି ଭିଡ଼ିଓ ବନାଇଛନ୍ତି । ସେହି ଭିଡ଼ିଓକୁ ଜ୍ୟୋତି ପହଲଗାମ ଆକ୍ରମଣର ଏକ ମାସ ପୂର୍ବରୁ ଅପଲୋଡ୍ କରିଥିଲେ ।
ଜ୍ୟୋତିଙ୍କ ଭ୍ରମଣ ଭିଡ଼ିଓରେ ଆହୁରି ତଥ୍ୟ ମଧ୍ୟ ହସ୍ତଗତ ହୋଇଛି । ସେ ୩ ଥର ପାକିସ୍ତାନ ଗସ୍ତ କରିଛନ୍ତି । ତାଙ୍କୁ ସେଠାରେ କଡ଼ା ସୁରକ୍ଷା ଦିଆଯାଉଥିଲା । ଯେଉଁ ସ୍ଥାନକୁ କାହାକୁ ଯିବାକୁ ଅନୁମତି ନ ଥାଏ ସିଏ ସେଠାକୁ ଯାଇପାରନ୍ତି । ଏପରିକି ତାଙ୍କୁ ସୁରକ୍ଷା ପାକ୍ ସୁରକ୍ଷାକର୍ମୀଙ୍କୁ ମଧ୍ୟ ନିୟୋଜିତ କରାଯାଇଥିଲା । ଖାଲି ସେତିକି ନୁହେଁ ଜ୍ୟୋତି ପହଲଗାମ ଆକ୍ରମଣ ପୂର୍ବରୁ ମାତ୍ର ୩ ଦିନ ପୂର୍ବରୁ ଜମ୍ମୁ କାଶ୍ମୀର ଯାଇଥିଲେ ବୋଲି କୁହାଯାଉଛି । ଏପରିକି ଅପରେସନ୍ ସିନ୍ଦୂରବେଳେ ଜ୍ୟୋତି ପାକ୍ ଅଧିକାରୀ ଦାନିଶଙ୍କ ସହିତ ଯୋଗାଯୋଗରେ ଥିଲେ ବୋଲି ଜଣାପଡ଼ିଛି ।