ନୂଆଦିଲ୍ଲୀ: ଚନ୍ଦ୍ରଯାନ ପରି ଏବେ ଅପରେସନ ସିନ୍ଦୂରରେ ପାକିସ୍ତାନକୁ ଆଣ୍ଠେଇ ଦେଇଥିବା ବ୍ରହ୍ମୋସ ଓ ଆକାଶ ମିସାଇଲର ଶୌର୍ଯ୍ୟ କାହାଣୀ ଏବେ ସ୍କୁଲରେ ପିଲାମାନଙ୍କୁ ପଢାଯିବ । ଶିିକ୍ଷା ମନ୍ତ୍ରଣାଳୟ ଶୀଘ୍ର ସମସ୍ତ ଭାରତୀୟ ଭାଷାଭାଷି ସ୍କୁଲରେ ପିଲାଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ପ୍ରସ୍ତୁତି କରୁଛନ୍ତି । ପିଲାଙ୍କୁ ରୋଚକ ଶୈଳୀରେ ଦୁଇ କ୍ଷେପଣାସ୍ତ୍ର ବିଷୟରେ ଅବଗତ କରାଯିବ ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଏକ କାର୍ଯ୍ୟକ୍ରମରେ ଏହାର ସଙ୍କେତ ଦେଇଥିଲେ । ସେ କହିଛନ୍ତି ବ୍ରହ୍ମୋସ ଓ ଆକାଶର ଶକ୍ତି ଆମ ଶିକ୍ଷା ବ୍ୟବସ୍ଥାର ମଜବୁତର ପ୍ରମାଣ । ଆମକୁ ଏବେ ଗବେଷଣା ଉପରେ ଅଧିକ ଗୁରୁତ୍ୱ ଦେବା ଉଚିତ୍ । ଏଥିପାଇଁ ପିଏମ ରିସର୍ଚ୍ଚ ଫଣ୍ଡରେ ଜରୁରୀ ପରିବର୍ତ୍ତନ କରାଯାଉଛି ।
କୁହାଯାଉଛି ଏମିତି ପଦକ୍ଷେପରେ ପିଲାଙ୍କ ମନରେ ଗବେଷଣା ପ୍ରତି ରୁଚି ବଢିବ, ଯାହା ରାଷ୍ଟ୍ରୀୟ ହିତ ସହ ଜଡିତ ରହିବ । ନୂଆ ଶିକ୍ଷା ନୀତିରେ ପିଲାଙ୍କ ମଧ୍ୟରେ ସ୍କୁଲସ୍ତରରୁ ଗବେଷଣାତ୍ମକ ଭାବନା ଆଣିବା ପାଇଁ ବ୍ୟବସ୍ଥା କରାଯାଇଛି । ଏହା ଦ୍ୱାରା ଆଗକୁ ଯାଇ ଛାତ୍ରଛାତ୍ରୀ ଗବେଷଣା ଓ ଅଭିନବ କାର୍ଯ୍ୟ କରି ଦେଶର ନାଁ ରଖି ପାରିବେ ।
ମନ୍ତ୍ରଣାଳୟ ଅନୁଯାୟୀ, ଚନ୍ଦ୍ରଯାନର ସଫଳତାର କାହାଣୀକୁ ଯେମିତି ରୋଚକ ଢଙ୍ଗରେ ପିଲାଙ୍କ ମଧ୍ୟରେ ପହଞ୍ଚା ଯାଇଥିଲା, ଠିକ୍ ସେହିପରି ବ୍ରହ୍ମୋସ ଓ ଆକାଶ କ୍ଷେପଣାସ୍ତ୍ର ବିଷୟରେ ପିଲାଙ୍କୁ ଶିକ୍ଷାଦାନ ଦିଆଯିବ । ଏଥିରେ ପିଲାଙ୍କୁ ଅବଗତ କରାଯିବ ଯେ, କେମିତି ଏହି ଦୁଇ ମିସାଇଲ ପାକିସ୍ତାନର ମିସାଇଲକୁ ଆକାଶ ଧ୍ୱସ୍ତ କରିଥିଲା । ଏପରିକି ପାକିସ୍ତାନର ସବୁ ରକ୍ଷା ପ୍ରଣାଳୀକୁ ଭେଦି ଆତଙ୍କୀ ଶିବିରକୁ ନଷ୍ଟ କରିଥିଲା । ଏହି ମିସାଇଲର ପ୍ରହାର ଏତେ ବିକରାଳ ଥିଲା ଯେ, ପାକିସ୍ତାନ କିଛି ଘଣ୍ଟାରେ ମୁଣ୍ଡ ନୁଆଁଇଥିଲା ଏବଂ ଶାନ୍ତିର ଗୁହାରି କରିବାରେ ଲାଗିଲା ।
ଏହା ହେଉଛି କ୍ଷେପଣାସ୍ତ୍ରର ବିଶେଷତ୍ୱ
ବ୍ରହ୍ମୋସ କ୍ଷେପଣାସ୍ତ୍ର: ଗତି- ଘଣ୍ଟା ପ୍ରତି ୯୮୭୮ କିମି, ଦୂରତା- ୪୦୦ କିମି, ଓଜନ- ୧୨୯୦ କିଲୋଗ୍ରାମ, ଲମ୍ବ- ୮.୪ ମିଟର, ଭାର ବହନ କ୍ଷମତା- ୩୦୦୦ କିଲୋଗ୍ରାମ।
ଆକାଶ କ୍ଷେପଣାସ୍ତ୍ର: ଗତି- ଘଣ୍ଟା ପ୍ରତି ୩୦୮୭ କିମି, ଲମ୍ବ ୫.୭୮ ମିଟର, ଓଜନ- ୭୨୦ କିଲୋଗ୍ରାମ, ପରିସର- ୮୦ କିମି, ଭାର ବହନ କ୍ଷମତା- ୬୦ କିଲୋଗ୍ରାମ।