ନୂଆଦିଲ୍ଲୀ: ଦେଶର ପ୍ରଧାନ ବିଚାରପତି ବିଆର ଗବାଇ ଓ ବିରଚାରପତି ଅଗଷ୍ଟିନ ଜର୍ଜ ମସୀହଙ୍କ ଖଣ୍ଡପୀଠ ମଙ୍ଗଳବାର ଓ୍ଵକଫ ଆକ୍ଟକୁ ଚ୍ୟାଲେଞ୍ଜ କରି ଦାଖଲ ବିଭିନ୍ନ ଯାଚିକା ଉପରେ ଶୁଣାଣି ଆରମ୍ଭ କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହଟ୍ଟା ଯୁକ୍ତି ବାଢୁଥିବା ବେଳେ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବ୍ବଲ ଓ ଅଭିଷେକ ମନୁ ସିଙ୍ଘଭି ମାମଲା ଲଢୁଛନ୍ତି। ଶୁଣାଣି ସମୟରେ ସିଜେଆଇ କହିଛନ୍ତି, ସଂସଦ ଦ୍ଵାରା ଗୃହୀତ କୌଣସି ବି ଆଇନରେ ସାମ୍ବିଧାନିକତାର ଧାରଣା ରହିଥାଏ। ଯେ ପର୍ଯ୍ୟନ୍ତ କୌଣସି ଠୋସ୍ ମାମଲା ସାମ୍ନାକୁ ଆସିନି ସେ ପର୍ଯ୍ୟନ୍ତ ଅଦାଲତ ଏଥିରେ ହସ୍ତକ୍ଷେପ କରିବେ ନାହିଁ।
ଏହା ପୂର୍ବରୁ ଶୁଣାଣି ହେବା ମାତ୍ରେ ଅଦାଲତ ଆବେଦନକାରୀଙ୍କ ଉପରେ ଅନ୍ତରୀଣ ଆଦେଶ ଗୃହୀତ କରାଇବା ପାଇଁ ତିନି ପ୍ରସଙ୍ଗକୁ ସୀମିତ କରିଛନ୍ତି। ବର୍ତ୍ତମାନ କେବଳ ଓ୍ଵକଫ ବାୟ ୟୁଜର, ଓ୍ଵକଫ ପରିଷଦ ଓ ରାଜ୍ୟ ଓ୍ଵକଫ ବୋର୍ଡରେ ଅଣ ମୁସଲିମଙ୍କ ନିଯୁକ୍ତି ଓ ଓ୍ଵକଫ ଆଧାରରେ ସରକାରୀ ଭୂମିର ଚିହ୍ନଟ ପର୍ଯ୍ୟନ୍ତ ମାମଲାକୁ ସୀମିତ ରଖାଯିବ। ଏହା ଉପରେ କେନ୍ଦ୍ର ସରକାର ଆଶ୍ଵାସନ ଦେଇଛନ୍ତି ଯେ, ମାମଲାର ସମାଧାନ ନ ହେବା ପର୍ଯ୍ୟନ୍ତ ଏହି ତିନି ପ୍ରସଙ୍ଗରେ ହିଁ ଶୁଣାଣି ହେବ।
ସଲିସିଟର ଜେନେରାଲ କହିଛନ୍ତି, ନ୍ୟାୟାଳୟ ତିନୋଟି ପ୍ରସଙ୍ଗ ଚିହ୍ନଟ କରିଛନ୍ତି। ଆମେ ଏହି ତିନି ପ୍ରସଙ୍ଗ ଉପରେ ନିଜର ଜବାବ ବି ଦାଖଲ କରି ସାରିଛୁ। ମାତ୍ର ଆବେଦନକାରୀଙ୍କ ଲିଖିତ ଦଲିଲ ଏବେ ଅନେକ ପ୍ରସଙ୍ଗ ପର୍ଯ୍ୟନ୍ତ ଚାଲି ଯାଇଛି। ସଲିସିଟର ଜେନେରାଲ କହିଛନ୍ତି, ମୋର ଅନୁରୋଧ କେବଳ ଏହି ତିନି ପ୍ରସଙ୍ଗରେ ମାମଲାକୁ ସୀମିତ ରଖାଯାଉ। ଅନ୍ୟପଟେ ଆବେଦନକାରୀଙ୍କ ପକ୍ଷରୁ ହାଜର ବରିଷ୍ଠ ଆଇନଜୀବୀ କପିଲ ସିବ୍ବଲ ଓ ଅଭିଷେକ ସିଙ୍ଘଭି ଏହି ଦଲିଲର ବିରୋଧ କରି ଅଲଗା ଅଲଗା ଭାଗରେ ମାମଲାର ଶୁଣାଣି ହୋଇ ପାରିବ ନାହିଁ ବୋଲି କହିଛନ୍ତି।
କଣ ଯୁକ୍ତି ବାଢିଲେ ସିବ୍ବଲ
ସିବ୍ବଲ କହିଛନ୍ତି, ଖଣ୍ଡ ଖଣ୍ଡ କରି ମାମଲାର ଶୁଣାଣି କରାଯାଇ ପାରିବ ନାହିଁ। ଏଥିପାଇଁ ଏକ ସଙ୍ଗେ ସବୁ ମାମଲାର ଶୁଣାଣି ହେଉ। ସେ କହିଛନ୍ତି, ଗୋଟିଏ ପ୍ରସଙ୍ଗ -ଅଦାଲତ ଦ୍ଵାରା ଓ୍ଵାକଫ, ଓ୍ଵାକଫ ବାୟ ୟୁଜର କିମ୍ବା ଓ୍ଵାକଫ ବାଇ ଡିଡ ଘୋଷିତ ସମ୍ପତ୍ତିକୁ ଅଣ ଅଧିସୂଚିତ କରିବାର ଅଧିକାର ରହିଛି। ଦ୍ଵିତୀୟ ପ୍ରସଙ୍ଗ ରାଜ୍ୟ ଓ୍ଵକଫ ବୋର୍ଡ ଓ କେନ୍ଦ୍ରୀୟ ଓ୍ଵକଫ ପରିଷଦର ସରଞ୍ଚନା ସମ୍ବନ୍ଧିତ ରହିଛି। ଏଥିରେ କୁହାଯାଇଛି କେବଳ ମୁସଲମାନଙ୍କୁ ଏଥିରେ କାମ କରିବା ଉଚିତ୍। ତୃତୀୟ ପ୍ରସଙ୍ଗ ଓ୍ଵକଫର ପ୍ରାବଧାନ ସମ୍ବନ୍ଧିତ ରହିଛି। ଏଥିରେ ଉଲ୍ଲେଖ ରହିଛି ଜିଲ୍ଲାପାଳଙ୍କୁ ଅଧିକାର ଦିଆଯାଇଛି ଯେ, ସେ ଜମି ସରକାରୀ ସମ୍ପତ୍ତି କି ନୁହେଁ ଯାଞ୍ଚ କରିବ। ଏହି ତିନି ପ୍ରସଙ୍ଗକୁ ଏକତ୍ର ଶୁଣାଣି କରାଯଉ ବୋଲି ସିବ୍ବଲ କହିଛନ୍ତି।