କୋଲକାତା: ଅପରେସନ ସିନ୍ଦୂରର ସତକୁ ଦୁନିଆ ସାମ୍ନାରେ ରଖିବା ଏବଂ ପାକିସ୍ତାନର ମୁଖା ଖୋଲିବା ପାଇଁ ବିଦେଶ ଗସ୍ତ କରୁଥିବା ଦଳକୁ ଶେଷରେ ସମର୍ଥନ କରିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହି ଦଳରେ ଟିଏମସିର ଅଭିଷେକ ବାନାର୍ଜୀ ଅଛନ୍ତି । ସୂତ୍ର ଅନୁଯାୟୀ, ଟିଏମସି ଅଧ୍ୟକ୍ଷ ମମତା ବାନାର୍ଜୀ ଅଭିଷେକ ବାନାର୍ଜୀଙ୍କୁ ବିଦେଶ ପଠାଇବା ନେଇ ସହମତ ହୋଇଛନ୍ତି । ଏହା ପୂର୍ବରୁ ମମତା ଏହି ପ୍ରତିନିଧିମଣ୍ଡଳରୁ ଦୂରେଇ ରହିଥିଲେ । ଖବର ଏହା ମଧ୍ୟ ପ୍ରକାଶ ପାଇଥିଲା ଯେ, ୟୁସୁଫ ପଠାନଙ୍କୁ ମଧ୍ୟ ବିଦେଶ ଗସ୍ତ କରିବାକୁ ଅଟକାଇଥିଲେ । ମୋଦୀ ସରକାର ଏହି ପ୍ରତିନିଧିମଣ୍ଡଳରେ ୟୁସୁଫ ପଠାନଙ୍କୁ ସାମିଲ କରିଥିଲେ ।
ସୂଚନା ଅନୁଯାୟୀ, କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ଖୋଦ୍ ଏହି ପ୍ରସଙ୍ଗରେ ମମତା ବାନାର୍ଜୀଙ୍କ ସହ କତା ହୋଇଥିଲେ । ସେ ଟିଏମସି ପକ୍ଷରୁ ପ୍ରତିନିଧିକୁ ନେଇ ନିଷ୍ପତ୍ତି ନେବାକୁ ଅପିଲ୍ କରିଥିଲେ । ମମତା ବାନାର୍ଜୀ ସୋମବାର କହିଥିଲେ ଯେ, ଟିଏମସି ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦର ମୁକାବିଲା ପାଇଁ ଭାରତର ଆଭିମୁଖ୍ୟକୁ ଦୁନିଆ ସାମ୍ନାରେ ରଖିବା ପାଇଁ ଗଠିତ ବହୁଦଳୀୟ ପ୍ରତିନିଧିମଣ୍ଡଳକୁ ବହିଷ୍କାର କରୁନି । ଏଥିରେ ଟିଏମସିର ପ୍ରତିନିଧି ପଠାଇବେ । ଟିଏମସି ଏହା ଉପରେ ଗୁରୁତ୍ୱାରୋପ କରିଛି ଯେ, ପ୍ରତିନିଧିମଣ୍ଡଳରେ ପାର୍ଟିରୁ କିଏ ଯିବ ତାର ନିଷ୍ପତ୍ତି କେନ୍ଦ୍ରକୁ କରିବା ଉଚିତ୍ ନୁହେଁ ।
ସେ କହିଥିଲେ, ଯଦି ଅନୁରୋଧ ଆମ ପାଖକୁ ଆସେ ତେବେ ଆମେ ନିଶ୍ଚିତ ଭାବେ ଏହା ଉପରେ ବିଚାର କରିପାରୁ । ଆମେ କେନ୍ଦ୍ର ସରକାରଙ୍କ ବିଦେଶ ନୀତିର ସମର୍ଥନ କରୁଛୁ । ଯଦି କିଛି ଖାସ୍ ହେବ ତେବେ ଆମେ ବିଚାର କରିବୁ । ବର୍ତ୍ତମାନ ଆମେ କେନ୍ଦ୍ର ସରକାରଙ୍କ ବିଚାର ଓ ଉଠାଯାଇଥିବା ପଦକ୍ଷେପର ସମର୍ଥନ କରୁଛୁ । କେନ୍ଦ୍ର ସରକାରଙ୍କୁ କୌଣସି ପାର୍ଟିର ପ୍ରତିନିଧିଙ୍କୁ ଚୟନ କରିବାର କୌଣସି ଅଧିକାର ନାହିଁ । ଟିଏମସି ପକ୍ଷରୁ ଅଭିଷେକ ବାନାର୍ଜୀଙ୍କୁ ପ୍ରତିନିଧିମଣ୍ଡଳରେ ପଠାଇବାକୁ ମମତା ସହମତି ହୋଇଛନ୍ତି ।