ବାଲେଶ୍ବର: ବାଲେଶ୍ବର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ କଣ୍ଟେନର ଜଣେ ସ୍କୁଟି ଚାଳକଙ୍କୁ ଧକ୍କା ଦେଇଛି । ଫଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ଶିବ ପ୍ରସାଦ ଜେନା ।
ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରେ ଆଜି ସ୍କୁଟିରେ ଶିବ ପ୍ରସାଦ ନାତି କ୍ଷିରୋଦ ଜେନାର ଦେହ ଖରାପ ଥିବାରୁ ସିମୁଳିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ । ଡାକ୍ତରଙ୍କୁ ନାତିକୁ ଦେଖାଇ ଘରକୁ ଫେରୁଥିବା ସମୟରେ ୧୬ ନମ୍ବର ଜାତୀୟ ରାଜପଥରେ ଥିବା ନ୍ୟାସନାଲ ଢ଼ାବା ସମ୍ମୁଖରେ ଦୁର୍ଘଟଣା ଘଟିଛି । ସାମ୍ନା ପଟୁ ଏକ କଣ୍ଟେନର ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଶିବପ୍ରସାଦ ଗୁରୁତର ଆହତ ହୋଇଥିଲେ । ତୁରନ୍ତ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସିମୁଳିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ନାତି ସୁରକ୍ଷିତ ଥିବା ଜଣାପଡିଛି । ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି କଣ୍ଟେନର ଓ ସ୍କୁଟିକୁ ଜବତ କରିଛି। ଏହି ଘଟଣାର ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।