ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ହମଲା ପରେ ପାକିସ୍ତାନ ପାଇଁ ଗୁପ୍ତଚର କାମ କରୁଥିବା ଅଭିଯୋଗରେ ଗିରଫ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ବିଷୟରେ ନୂଆ ନୂଆ ଖୁଲାସା ହେବାରେ ଲାଗିଛି । ଜ୍ୟୋତିଙ୍କ ବାପା ନିଜ ବୟାନରେ କହିଛନ୍ତି ଯେ, ନା ସେ ଝିଅର ୟୁଟ୍ୟୁବ ଚ୍ୟାନେଲ ବିଷୟରେ କିଛି ଜଣା ଅଛି ନା ତାର ବିଦେଶ ଯାତ୍ରା ବିଷୟରେ ତାଙ୍କ ପାଖରେ ଖବର ଅଛି ।
ଏଏନଆଇ ସହ ଆଲୋଚନା ବେଳେ ଜ୍ୟୋତିଙ୍କ ବାପା କହିଛନ୍ତି, ସେ ମୋତେ କହୁଥିଲା ମୁଁ ଦିଲ୍ଲୀ ଯାଉଛି । ସେ ମୋତେ କେବେ କିଛି ଜଣାଇ ନାହିଁ । ଉଲ୍ଲେଖନୀୟ ଏହା ପୂବ୭ରୁ ଜ୍ୟୋତିଙ୍କ ବାପା ମିଡିଆ ସହ ଆଲୋଚନା ବେଳେ କହିଥିଲେ ଯେ, ଜ୍ୟୋତି ଭିଡିଓ ତିଆରି ପାଇଁ ପାକିସ୍ତାନ ଯାଇଥିଲା ।
ଜ୍ୟୋତିଙ୍କ ବାପା କହିଛନ୍ତି, କୋଭିଡ-୧୯ ପୂର୍ବରୁ ଜ୍ୟୋତି ଦିଲ୍ଲୀରେ ଏକ ଘରୋଇ କମ୍ପାନିରେ ଚାକିରି କରୁଥିଲା । ଲକଡାଉନ ଲାଗୁ ହେବା ପରେ ସେ ଚାକିରି ଛାଡି ଘରକୁ ଫେରି ଆସିଥିଲା । ଏହା ପରେ ସେ ଭିଡିଓ ତିଆରି କରିବା ଆରମ୍ଭ କଲା ।
ସ୍ଥାନୀୟ ପୋଲିସଙ୍କ ଅନୁଯାୟୀ, ଜ୍ୟୋତି ପାକିସ୍ତାନୀ ଉଚ୍ଚାୟୋଗର କୌଣସି ଅଧିକାରୀଙ୍କ ସଂପର୍କରେ ଆସିଥିଲା । ସେଠାରୁ ତାଙ୍କୁ ପାକିସ୍ତାନୀ ଭିସା ମିଳିବା ସହଜ ହୋଇଥିଲା । ଏହା ପରେ ସେ ଦୁଇ ଥର ପାକିସ୍ତାନ ଯାତ୍ରା ମଧ୍ୟ କରିଥିଲା । ଏହି ସମୟରେ ସେ ନିଜର ୟୁଟ୍ୟୁବ ଚ୍ୟାନେଲରେ ଅନେକ ଭିଡିଓ ଅପଲୋଡ କରିଛି ।
ହିସାର ପୋଲିସର ଜଣେ ଅଧିକାରୀ କହିଛନ୍ତି ଯେ, ଜ୍ୟୋତି ଏପ୍ରିଲ ୨୨ରେ ଆତଙ୍କୀ ହମଲା ପୂର୍ବରୁ ପହଲଗାମ ଯାଇଥିଲା । ଏହା ପରେ ସେଠାରୁ ସେ ପାକିସ୍ତାନ ଯାତ୍ରା କରିଥିଲା । ବର୍ତ୍ତମାନ ପୋଲିସ ଏହି ଦୁଇ ଯାତ୍ରା ମଧ୍ୟରେ କେଉଁ ପ୍ରକାରର ସଂଯୋଗ ରହିଛି ତାହା ଜାଣିବାକୁ ତଦନ୍ତ ଜୋରଦାର ଚଳାଇଛି । ସେ କହିଛନ୍ତି, ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଜ୍ୟୋତିକୁ ଏକ ଆସେଟ୍ ଭାବେ ପ୍ରସ୍ତୁତ କରୁଥିଲେ । ଯଦ୍ୱାରା ଭବିଷ୍ୟତର ଅପରସେନରେ ଜ୍ୟୋତିକୁ ବ୍ୟବହାର କରାଯାଇ ପାରିବ ।
ପୋଲିସ ମୁତାବକ ପହଲଗାମ ଆତଙ୍କୀ ହମଲା ପରେ ଯେବେ ଭାରତ ଓ ପାକିସ୍ତାନ ମଧ୍ୟରେ ସଂଘର୍ଷ ଚାଲିଥିଲା, ସେହି ସମୟରେ ଜ୍ୟୋତି ନୂଆଦିଲ୍ଲୀ ସ୍ଥିତ ପାକିସ୍ତାନ ଦୂତାବାସର ଯୋଗାଯୋଗରେ ଥିଲା । ନିଜର ପାକିସ୍ତାନୀ ଯାତ୍ରା ସମୟରେ ବି ଜ୍ୟୋତି ଅନେକ ହାଇ ପ୍ରୋଫାଇଲ ଲୋକଙ୍କୁ ଭେଟିଥିଲା । ଜ୍ୟୋତିଙ୍କ ଏକ ଭିଡିଓ ମରିୟମ ନୱାଜଙ୍କ ସହିତ ମଧ୍ୟ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।