ଜମ୍ମୁ-କାଶ୍ମୀର: ପୁଣିଥରେ ନିୟନ୍ତ୍ରଣ ରେଖା ଦେଇ ଭାରତରେ ଆତଙ୍କବାଦୀମାନେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଛନ୍ତି। କିନ୍ତୁ ଏହି ଯୋଜନା ପଣ୍ଡ କରିଛନ୍ତି ସୀମାରେ ସଜାଗ ଥିବା ଭାରତୀୟ ସେନା । ସୂଚନା ଅନୁସାରେ ଜମ୍ମୁ-କାଶ୍ମୀରର ଗୁରେଜ୍ ସେକ୍ଟରରେ ନିୟନ୍ତ୍ରଣ ରେଖା (LoC) ନିକଟରେ ପୁଣି ଏକ ଅନୁପ୍ରବେଶ ପ୍ରୟାସ କରୁଥିବା ବେଳେ ଏହାକୁ ବିଫଳ କରିଛନ୍ତି ସୁରକ୍ଷାକର୍ମୀ । ଫଳରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିଚାଳନା ହୋଇଥିଲା। ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।
ଆତଙ୍କବାଦୀଙ୍କ ଗତିବିଧି ଉପରେ ନଜର ରଖିଥିଲା ସେନା । ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପଟୁ ପ୍ରଥମେ ଗୁଳିଚାଳନା କରାଯାଇଥିଲା, ତା’ପରେ ସେନା ସତର୍କ ହୋଇ ତାର ଜବାବ ଦେଇଛି । ଅନୁପ୍ରବେଶ ଉଦ୍ୟମ ବେଳେ ଏନକାଉଣ୍ଟର ହୋଇଥିଲା । ପ୍ରଥମେ ଯବାନଙ୍କ ଉପରେ ଗୁଳିମାଡ଼ କରିଥିଲେ ଆତଙ୍କୀ । ଯବାନଙ୍କ ପାଲଟା ଗୁଳିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ବର୍ତ୍ତମାନ ସେହି ଅଞ୍ଚଳରେ ଏବେ ବି ସର୍ଚ୍ଚ ଅପରେସନ୍ ଜାରି ରହିଛି । ଏହା ପୂର୍ବରୁ ସୋମବାର ଦିନ ନିୟନ୍ତ୍ରଣ ରେଖାର ଉରି ସେକ୍ଟରରେ ଅନୁପ୍ରବେଶକାରୀଙ୍କୁ ଦେଖିବାକୁ ମିଳିଥିଲା । ସେନା ସେମାନଙ୍କ ଯୋଜନାକୁ ପଣ୍ଡ କରି ଦେଇଥିଲା ।