ପାଟନା: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ପୋଲିସ ବିଭାଗକୁ ଏକ ବଡ଼ ସୂଚନା ମିଳିଛି । ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ୩ ଜଣ ଆତଙ୍କବାଦୀ ନେପାଳ ଦେଇ ବିହାରରେ ପ୍ରବେଶ କରିଛନ୍ତି । ତିନି ଜଣ ଆତଙ୍କବାଦୀଙ୍କ ନାମ ଏବଂ ଫଟୋ ସେୟାର କରି ପୋଲିସ ମୁଖ୍ୟାଳୟ ଭାଗଲପୁର ସମେତ ସମସ୍ତ ଜିଲ୍ଲାକୁ ହାଇଆଲର୍ଟ ଜାରି କରାଯାଇଛି ।
ବିହାରରେ ଅନୁପ୍ରବେଶ କରିଥିବା ଆତଙ୍କବାଦୀଙ୍କ ମଧ୍ୟରେ ବାହାବଲପୁରର ମହମ୍ମଦ ଉସମାନ, ଉମରକୋଟର ଆଦିଲ ହୁସେନ ଏବଂ ରାୱଲପିଣ୍ଡିର ହସନୈନ ଅଲି ଅୱାନ ଅଛନ୍ତି । ତିନି ଜଣଙ୍କ ପାସପୋର୍ଟ ସମ୍ପର୍କିତ ସୂଚନା ମଧ୍ୟ ସେୟାର କରାଯାଇଛି । ଏହି ତିନି ଜଣ ଆତଙ୍କବାଦୀ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ କାଠମାଣ୍ଡୁରେ ପହଞ୍ଚିଥିଲେ । ସେମାନେ ସେଠାରୁ ବିହାରରେ ଅନୁପ୍ରବେଶ କରିଛନ୍ତି । ଏମାନେ ଦେଶରେ କିଛି ବଡ଼ ଆତଙ୍କବାଦୀ ଘଟଣା ଘଟାଇବାର ସମ୍ଭାବନା ରହିଛି ।
ବିହାରର ଭାଗଲପୁର ଜିଲ୍ଲା ଆଖପାଖ ଜିଲ୍ଲା ବିଷୟରେ କହିବାକୁ ଗଲେ, ଆରାରିଆ, କିଶନଗଞ୍ଜ ଏବଂ ସୁପୌଲ ନେପାଳ ସୀମାକୁ ଲାଗିକରି ରହିଛି । ମଧୁବନୀ, ସୀତାମଢ଼ି, ପୂର୍ବ ଚମ୍ପାରଣ ଏବଂ ପଶ୍ଚିମ ଚମ୍ପାରଣ ମଧ୍ୟ ସୀମା ସହିତ ସଂଯୁକ୍ତ । ମୁଖ୍ୟାଳୟ ଏହି ଜିଲ୍ଲାଗୁଡ଼ିକୁ ସ୍ଥାନୀୟ ସ୍ତରରେ ଗୁଇନ୍ଦା ବ୍ୟବସ୍ଥାକୁ ସକ୍ରିୟ କରିବାକୁ ନିର୍ଦ୍ଦେଶ ଦେଇଛି। ପୂର୍ଣ୍ଣିଆ ରେଞ୍ଜ ଡିଆଇଜି ପ୍ରମୋଦ କୁମାର ମଣ୍ଡଳଙ୍କ ସୂଚନା ମୁତାବକ, ନେପାଳ ରାସ୍ତା ଦେଇ ବିହାରରେ ତିନି ଜଣ ପାକିସ୍ତାନୀ ସନ୍ଦିଗ୍ଧଙ୍କ ଅନୁପ୍ରବେଶ ନେଇ ସୂଚନା ମିଳିଛା । ଏହା ପରେ ମୁଖ୍ୟାଳୟ ପକ୍ଷରୁ ଜିଲ୍ଲାଗୁଡ଼ିକରେ ସତର୍କତା ଜାରି କରାଯାଇଛି ।
ପୂର୍ବରୁ ମଧ୍ୟ ନେପାଳ ସୀମାରୁ ପାକିସ୍ତାନୀ ଏବଂ ପାକ୍ ସମର୍ଥିତ ସନ୍ଦିଗ୍ଧ ଆତଙ୍କବାଦୀମାନେ ବିହାରରେ ପ୍ରବେଶ କରିଥିବା ଘଟଣା ଘଟିଛି । ଗତ ବର୍ଷ ସେପ୍ଟେମ୍ବର ୫ ତାରିଖରେ ମୋତିହାରୀ ପୋଲିସ ନେପାଳ ସୀମା ନିକଟ ଭାଗଲପୁରର ବରହପୁରାର ବାସିନ୍ଦା ନଜରେ ସଦ୍ଦାମଙ୍କୁ ନକଲି ଟଙ୍କା ସହିତ ଗିରଫ କରିଥିଲା। ତାଙ୍କର ଏକ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ସହିତ ସମ୍ପର୍କ ଥିଲା । ଚଳିତ ବର୍ଷ ଫେବୃଆରୀରେ, ଏନଆଇଏ ଦଳ ବରହପୁରାରେ ନଜରେ ସଦ୍ଦାମଙ୍କ ଘରେ ମଧ୍ୟ ପହଞ୍ଚିଥିଲା। ନଜରେ ସଦ୍ଦାମଙ୍କ ଘର ତଲାସି କରାଯାଇଥିଲା ଏବଂ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଇତ୍ୟାଦି ଜବତ କରାଯାଇଥିଲା।