ନୂଆଦିଲ୍ଲୀ: ଆମେରିକା ଦ୍ୱାରା ଲଗାଯାଇଥିବା ୫୦ ପ୍ରତିଶତ ଚଢା ଶୁଳ୍କର ବିରୋଧ ଭାରତରେ ଜାରି ରହିଛି । ଏହା ମଧ୍ୟରେ ପଞ୍ଜାବର ଲଭଲି ପ୍ରଫେସନାଲ ୟୁନିଭର୍ସିଟି(ଏଲପିୟୁ)ରେ ଆମେରିକାର ମୃଦ୍ୟୁ ପାନୀୟ ଜଳ ଅର୍ଥାତ କୋଲ୍ଡ ଡ୍ରିଙ୍କ୍ସ ଉପରେ କଟକଣା ଲଗାଯାଇଛି । ଏହା ବ୍ୟତୀତ ଉତ୍ତର ପ୍ରଦେଶର କୁଣ୍ଡା ସମେତ ଅନେକ ସ୍ଥାନରେ ମଧ୍ୟ ଖୁବ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ ଲଗାଯାଇଥିବା ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ବୁଧବାରଠୁ ଭାରତ ଉପରେ ଲାଗୁ ହୋଇଛି ।
ଏଲପିୟୁର ସଂସ୍ଥାପକ ଅଶୋକ କୁମାର ମିତ୍ତଲ ସାମ୍ବାଦିକ ସମ୍ମିଳନୀରେ ଏହାର ଘୋଷଣା କରିଛନ୍ତି । ଖାସ୍ କଥା ମିତ୍ତଲ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ । ସେ ସମସ୍ତ ଭାରତୀୟଙ୍କୁ ଆମେରିକୀୟ ସାମଗ୍ରୀ ବହିଷ୍କାର କରିବାକୁ ଅପିଲ୍ କରିଛନ୍ତି । ଆମେରିକା ଦ୍ୱାରା ଭାରତ ଉପରେ ଲଗାଯାଇଥିବା ଅନୁଚିତ ଶୁଳ୍କର ଜବାବରେ ଏଲପିୟୁରେ ଏହି ପଦକ୍ଷେପ ନିଆଯାଇଥିବା ମିତ୍ତଲଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।
ମିତ୍ତଲ କହିଛନ୍ତି, ଆମେରିକା ଓ ଏହାର ୟୁରୋପୀୟ ସହଯୋଗୀ ରୁଷଠୁ ତେଲ କିଣୁଛନ୍ତି । କିନ୍ତୁ ଭାରତକୁ କେବଳ ଟାର୍ଗେଟ୍ କରୁଛି ଆମେରିକା । ତେଣୁ ୪୦ ହଜାର ଛାତ୍ରଛାତ୍ରୀଙ୍କ ସହ ଭାରତର ସବୁଠୁ ବଡ ୟୁନିଭର୍ସିଟି ମଧ୍ୟରୁ ଏକ ଏଲପିୟୁରେ ଆମେରିକାର କୋଲ୍ଡ ଡ୍ରିଙ୍କ୍ସର ବହିଷ୍କାର ତତ୍କାଳ ପ୍ରଭାବରୁ ଲାଗୁ ହୋଇଛି । ଏହି ସନ୍ଦେଶ ଦେଶର କୋଣ ଅନୁକୋଣକୁ ଯିବ ବୋଲି ସେ କହିଛନ୍ତି ।
Also read: ଟ୍ରମ୍ପଙ୍କ ଟାରିଫ ୱାର ମଧ୍ୟରେ ଜିନପିଙ୍ଗଙ୍କୁ ଭେଟିବେ ପିଏମ ମୋଦୀ, ରବିବାର ହୋଇପାରେ ସାକ୍ଷାତ