ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ରବିବାର ଦ୍ୱିପାକ୍ଷିକ ବୈଠକ ହେବାର ସମ୍ଭାବନା ରହିଛି । ଏହି ବୈଠକ ସାଂଘାଇ ସହଯୋଗ ସଂଗଠନ(ଏସସିଓ) ସମ୍ମିଳନୀ ପୂର୍ବରୁ ହେବ । ପ୍ରଧାନମନ୍ତ୍ରୀ ମୋଦୀ ଚୀନର ରାଷ୍ଟ୍ରପତିଙ୍କ ନିମନ୍ତ୍ରଣକ୍ରମେ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ଚୀନର ତିୟାନଜିନରେ ହେବାକୁ ଥିବା ଏସସିଓ ଶିଖର ସମ୍ମିଳନୀରେ ଯୋଗ ଦେବେ । ଗତ ସାତ ବର୍ଷରେ ପିଏମ ମୋଦୀଙ୍କ ଏହା ପ୍ରଥମ ଚୀନ ଗସ୍ତ ।
ଦୁଇ ଦେଶ ମଧ୍ୟରେ ବୈଠକ ଏମିତି ସମୟରେ ହେଉଛି ଯେବେ ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ କମିଛି । ଦୁଇ ଦେଶ ଦେପସାଙ୍ଗ ଓ ଡେମଚୋକରେ ପାଟ୍ରୋଲିଂ ଅଧିକାରକୁ ନେଇ ସହମତି ହୋଇଛନ୍ତି । ଅନ୍ୟପଟେ ଆମେରିକାର ଟାରିଫ କାରଣରୁ ଭାରତ ଓ ଚୀନ ନିକଟତର ହୋଇଛନ୍ତି । ଦୁଇ ନେତା ଶେଷ ଥର ୨୦୨୪ ଅକ୍ଟୋବର ୨୩ରେ ରୁଷର କଜାନରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀରେ ପରସ୍ପରକୁ ଭେଟିଥିଲେ । ପିଏମ ମୋଦୀ ଶେଷ ଥର ୨୦୧୮ରେ ଚୀନ ଯାତ୍ରା କରିଥିଲେ ।
ପୂର୍ବତ ଲଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି)ରେ ୨୦୨୦ ମେରେ ଚୀନର ଅନୁପ୍ରବେଶ ପରେ ଆରମ୍ଭ ହୋଇଥିବା ସୈନ୍ୟ ଗତିରୋଧ ପରେ ଭାରତ ଓ ଚୀନର କୂଟନୈତିକ ସମ୍ବନ୍ଧରେ ତିକ୍ତତା ଦେଖା ଦେଇଥିଲା । ତେବେଠୁ ଦୁଇ ଦେଶ ସମ୍ବନ୍ଧରେ ସୁଧାର ଆଣିବାକୁ ଚେଷ୍ଟା ଚଳାଇଛନ୍ତି । ଏହି ପ୍ରୟାସ ସ୍ୱରୂପ ମାନସରୋବର ଯାତ୍ରା ପୁଣି ଥରେ ଆରମ୍ଭ ହୋଇଛି । ଚୀନ ପର୍ଯ୍ୟଟକଙ୍କ ପାଇଁ ଭିସା ଜାରି କରାଯାଇଛି ଏବଂ ସିଧା ଉଡାଣ ପୁଣି ଥରେ ଆରମ୍ଭ କରାଯିବା ଉପରେ ବିଚାର କରାଯାଉଛି ।
ମେ ମାସରେ ସଂପର୍କ ସୁଧାରିବା ପ୍ରୟାସକୁ ପୁଣି ଥରେ ଝଟକା ତେବେ ଲାଗିଲା ଯେବେ ଭାରତର ଅପରେସନ ସିନ୍ଦୂର ପରେ ଜଣା ପଡିଲା ଯେ, ପାକିସ୍ତାନୀ ସେନାକୁ ଚୀନ ସକ୍ରିୟ ଭାବେ ସାହାଯ୍ୟ କରିଥିଲା । ଏହାର ପ୍ରମାଣ ମଧ୍ୟ ମିଳିଥିଲା । ତେବେ ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫର ଜବାବ ଦେବାକୁ ଏବେ ଦୁଇ ଦେଶ ନିକଟତର ହେଉଛନ୍ତି ଏବଂ ପୂର୍ବ ତିକ୍ତତା ଭୁଲିବାକୁ ଉଦ୍ୟମ କରୁଛନ୍ତି ।
Also read: ନେପାଳ ରାସ୍ତା ଦେଇ ବିହାରରେ ପଶିଲେ ୩ ଆତଙ୍କବାଦୀ, ହାଇଆଲର୍ଟ ଜାରି