ନୂଆଦିଲ୍ଲୀ: ଦୀର୍ଘ ଚାରି ବର୍ଷ ହେବ ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ରୁଷ ଗୁରୁବାର ୟୁକ୍ରେନର କୀବ ଉପରେ ପ୍ରାୟ ୬୨୯ଟି ମିସାଇଲ୍ ଏବଂ ଡ୍ରୋନ୍ ମାଡ଼ କରିଛି । ଏଥିରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪୮ ଜଣ ଗୁରୁତର ଆହତ ହୋଇଥିବା କୁହାଯାଉଛି । ରୁଷ ଆକ୍ରମଣରେ ୟୁକ୍ରେନସ୍ଥିତ ୟୁରୋପୀୟ ସଂଘର ଏକ କୋଠା କ୍ଷତିଗ୍ରସ୍ତ ହୋଇଥିବା ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଆନ୍ଦ୍ରେଇ ସିବିହା ଏକ୍ସରେ ପୋଷ୍ଟ କରିଛନ୍ତି ।
ଏହା ରୁଷର ଦ୍ୱିତୀୟ ବଡ଼ ମିସାଇଲ୍ ଆକ୍ରମଣ ବୋଲି ୟୁକ୍ରେନ୍ କହିଛି । ରାଷ୍ଟ୍ରପତି ଜେଲେନସ୍କି ମଧ୍ୟ ଆକ୍ରମଣ ସମ୍ପର୍କରେ ସୂଚନା ଦେଇଛନ୍ତି । କୀବ ଉପରେ ହୋଇଥିବା ଆକ୍ରମଣରେ ୧୪ ଜଣ ମୃତକଙ୍କ ମଧ୍ୟରେ ୩ ଜଣ ଛୋଟ ପିଲା ମଧ୍ୟ ସାମିଲ ଅଛନ୍ତି । ୟୁରୋପୀୟ ବିଲ୍ଡିଂ ସହିତ ଅନେକ କ୍ଷୟକ୍ଷତି ହୋଇଛି । ଆକ୍ରମଣକୁ କେବଳ ୟୁରୋପୀୟ ସଂଘ ନୁହେଁ ବରଂ ବିଶ୍ୱବ୍ୟାପୀ ନିନ୍ଦା କରାଯିବା ଉଚିତ ବୋଲି ଦାବି ଜେଲେନସ୍କି କରିଛନ୍ତି । ଅସ୍ତ୍ରବିରତୀ ଏବଂ ଆଲୋଚନା ପାଇଁ ନିରନ୍ତର ପ୍ରୟାସ କରାଯିବା ଉଚିତ ।
ଫ୍ରାନ୍ସର ରାଷ୍ଟ୍ରପତି ଇମାନ୍ୟୁଏଲ୍ ମୈକ୍ରୋ ଏକ୍ସରେ ପୋଷ୍ଟ କରି ଦାବି କରିଛନ୍ତି , ୟୁକ୍ରେନ ଉପରେ ଗୋଟିଏ ରାତିରେ ୬୨୯ ମିସାଇଲ୍ ଏବଂ ଡ୍ରୋନ୍ ମାଡ଼ କରିଛି ରୁଷ । ଏହା ସହିତ ରୁଷକୁ କଡ଼ା ଭାଷାରେ ମଧ୍ୟ ସମାଲୋଚନା କରିଛନ୍ତି ।
ଆକ୍ରମଣକୁ ନେଇ ରୁଷର ମଧ୍ୟ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ସମସ୍ତ ଲକ୍ଷ୍ୟ ହାସଲ ହୋଇଛି । ହାଇପରସୋନିକ ମିସାଇଲ୍ କିଞ୍ଜଲ୍, ଡ୍ରୋନ୍ ଏବଂ ଏୟାର ଷ୍ଟ୍ରାଇକ୍ କରାଯାଇଛି । ଏପରିକି ୟୁକ୍ରେନର ଜାହାଜ, ସୈନ୍ୟ ଠିକଣା ଏବଂ ଏୟାରବେସକୁ ଟାର୍ଗେଟ୍ କରାଯାଇଥିଲା । ପୂର୍ବ ୟୁକ୍ରେନର ନେଲିପିୱକାକୁ ଅକ୍ତିଆର କରିଥିବା ରୁଷ ଦାବି କରିଛି ।