ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତରୁ ଆମଦାନୀ ହେବାକୁ ଥିବା ସାମଗ୍ରୀ ଉପରେ ୫୦ ପ୍ରତିଶତ ଟାରିଫ ଅର୍ଥାତ ଆମଦାନୀ ଶୁଳ୍କ ଲଗାଇଛନ୍ତି । ଟ୍ରମ୍ପ ସରକାରଙ୍କ ଏହି ନିଷ୍ପତ୍ତି ଅଗଷ୍ଟ ୨୭ରେ ଲାଗୁ ହେବ । ଏହି ଟାରିଫ ଭାରତର ପାଖାପାଖି ୪୮ ବିଲିୟନ ଡଲାର ରପ୍ତାନୀ ଉପରେ ପ୍ରଭାବ ପକାଇବ । ଆମେରିକା ବଜାରରେ ପ୍ରବେଶ କରୁଥିବା ଭାରତୀୟ ସାମଗ୍ରୀ ଉପରେ ବର୍ତ୍ତମାନ ୨୫ ପ୍ରତିଶତ ଟାରିଫ ପୂର୍ବରୁ ହିଁ ଲାଗୁଛି । ରୁଷ ଅଶୋଧିତ ତୈଳ ଦର ଓ ସୈନ୍ୟ ଉପକରଣ କିଣିବା କାରଣରୁ ଅଗଷ୍ଟ ୨୭ରୁ ଭାରତର ସାମଗ୍ରୀ ଉପରେ ଅତିରିକ୍ତ ୨୫ ପ୍ରତିଶତ ଟାରିଫ ଲାଗିବାକୁ ଯାଉଛି ।
ଆମେରିକା ଗୃହ ମନ୍ତ୍ରଣାଳୟ ସୋମବାର ଜାରି ଡ୍ରାଫ୍ଟରେ ଆଦେଶରେ କହିଛି ଯେ, ବର୍ଦ୍ଧିତ ଟାରିଫ ସେହି ଭାରତୀୟ ସାମଗ୍ରୀ ଉପରେ ଲାଗୁ ହେବ, ଯାହା ୨୦୨୫ ଅଗଷ୍ଟ ୨୭ ଇଷ୍ଟର୍ଣ୍ଣ ଡେଲାଇଟ ଟାଇମ(ଇଡିଟି) ଅନୁସାରେ ରାତି ୧୨ ଟା ୧ ମିନିଟ୍ କିମ୍ବା ଏହା ପରେ ଦେଶରେ ପହଞ୍ଚିବ କିମ୍ବା ଗୋଦାମରୁ ବାହାରି ସାରିଥିବ । ଏଥିସହ ଅଗଷ୍ଟ ୨୭ରେ ଆନୁଷ୍ଠାନିକ ଭାବେ ଆମେରିକାରେ ଭାରତୀୟ ସାମଗ୍ରୀ ଉପରେ ୫୦ ପ୍ରତିଶତ ଟାରିଫ ଲାଗୁ ହେବ । ଭାରତ ବ୍ୟତୀତ ବ୍ରାଜିଲ ଏକମାତ୍ର ଆମେରିକାର ବାଣିଜ୍ୟିକ ଭାଗିଦାରୀ ଦେଶ ଯାହା ଉପରେ ୫୦ ପ୍ରତିଶତ ଆମଦାନୀ ଶୁଳ୍କ ଲାଗିଛି ।
ଆମେରିକାର ଟାରିଫ ବୃଦ୍ଧିର ପ୍ରଭାବ ଭାରତର ୪୮ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ରପ୍ତାନୀ ଉପରେ ପଡିବ । ବିଶେଷ କରି ଭାରତର ବସ୍ତ୍ର, ପରିଧାନ, ରତ୍ନ ଓ ଆଭୂଷଣ, ଚମଡା ସାମଗ୍ରୀ, ଜୋତା, ଚପଲ, ପଶୁ ଉତ୍ପାଦ, ରସାୟନ ଓ ବିଦ୍ୟୁତକ ଯାନ୍ତ୍ରିକ ଉପକରଣ ସାମିଲ । ଔଷଧ, ଉର୍ଜା, ଉତ୍ପାଦ ଓ ଇଲେକ୍ଟ୍ରୋନିକ ସାମଗ୍ରୀକୁ ଟାରିଫରୁ ବାହାରେ ରଖାଯାଇଛି ।