ଛତିଶଗଡ: ସୁରକ୍ଷା ବାହିନୀ ନକ୍ସଲବାଦୀଙ୍କ ବିରୋଧରେ ପୁଣି ଥରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୂର୍ବ ମହାରାଷ୍ଟ୍ରର ଗଡଚିରୋଲି ଜିଲ୍ଲାରେ ଯବାନ ଏବଂ ନକ୍ସଲ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଏହି ଏନକାଉଣ୍ଟରରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ତିନି ଜଣ ମହିଳା ନକ୍ସଲ ସମେତ ଅତି କମରେ ଚାରି ଜଣ ନକ୍ସଲ ନିହତ ହୋଇଛନ୍ତି। ପୋଲିସର ଏକ ବିବୃତ୍ତିରେ କୁହାଯାଇଛି ଯେ ଘଟଣାଟି ଗଡଚିରୋଲି ଏବଂ ନାରାୟଣପୁର ଜିଲ୍ଲାର ସୀମା ନିକଟରେ ଘଟିଛି। ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଏବେ ବି ଜାରି ରହିଛି।
ନକ୍ସଲମାନଙ୍କ ଉପସ୍ଥିତି ବିଷୟରେ ମିଳିଥିଲା ସୂଚନା
ବିବୃତ୍ତିରେ କୁହାଯାଇଛି ଯେ ଅଗଷ୍ଟ ୨୫ ତାରିଖରେ, ପୋଲିସ କୋପାରଶି ଜଙ୍ଗଲ ଅଞ୍ଚଳରେ ଗଟ୍ଟା ଡାଲମ, କମ୍ପାନୀ ନମ୍ବର ୧୦ ଏବଂ ଗଡଚିରୋଲି ଡିଭିଜନର ଅନ୍ୟାନ୍ୟ ମାଓବାଦୀ ୟୁନିଟ୍ ଉପସ୍ଥିତି ବିଷୟରେ ବିଶ୍ୱସ୍ତ ସୂଚନା ପାଇଥିଲା। ଏହା ପରେ ସୁରକ୍ଷା ବାହିନୀ ଅପରେସନ ପାଇଁ ବାହାରିଥିଲେ। ମିଶନ ପାଇଁ ଦୁଇଟି ଦଳ ପଠାଯାଇଥିଲା।
ପ୍ରବଳ ବର୍ଷା ମଧ୍ୟରେ ସର୍ଚ୍ଚ ଅପରେସନ୍
ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ଗତ ଦୁଇ ଦିନ ଧରି ପ୍ରବଳ ବର୍ଷା ସତ୍ତ୍ୱେ, ଦଳ ବୁଧବାର ସକାଳେ ଜଙ୍ଗଲରେ ପହଞ୍ଚିଥିଲା। ଦଳ ସର୍ଚ୍ଚ ଅପରେସନ୍ କରୁଥିବା ସମୟରେ ନକ୍ସଲମାନେ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ। ସୁରକ୍ଷା କର୍ମୀମାନେ ଜବାବରେ ଗୁଳିମାଡ଼ କରିଥିଲେ। ଘଞ୍ଚ ଜଙ୍ଗଲରେ ପ୍ରବଳ ବର୍ଷା ସ୍ୱତେ ପ୍ରାୟ ଆଠ ଘଣ୍ଟା ଧରି ଗୁଳି ବିନିମୟ ଜାରି ରହିଥିଲା। ଏହା ପରେ, ଏକ SLR ରାଇଫଲ୍, ଦୁଇଟି INSAS ରାଇଫଲ୍ ଏବଂ ଏକ .୩୦୩ ରାଇଫଲ୍ ସହିତ ତିନି ଜଣ ମହିଳା ଏବଂ ଜଣେ ପୁରୁଷଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ନେଇ ଅଧିକାରୀମାନେ ସୂଚନା ଦେଇଛନ୍ତି । ବିବୃତ୍ତିରେ ଆହୁରି ମଧ୍ୟ କୁହାଯାଇଛି ଯେ ଅଞ୍ଚଳରେ ବାକି ନକ୍ସଲଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ୍ ଜାରି ରହିଛି।