ରାଜସ୍ଥାନ: ଘରୁ ବାହାରିଥିଲେ ପ୍ରୟାଗରାଜ । ମହାକୁମ୍ଭ ଯିବେ ଆଉ ସେଠାରେ ବୁଡ଼ ପକାଇବେ । ହେଲେ କିଏ ଜାଣିଥିଲା ମହାକୁମ୍ଭ ପାଲଟିବ ଶେଷ ଯାତ୍ରା । ପ୍ରୟାଗରାଜ ଯିବାର ଅଧାବାଟରେ ଦୁର୍ଘଟଣା ଘଟି ଚାଲିଗଲା ୮ ଜଣଙ୍କ ଜୀବନ । ରାଜସ୍ଥାନ ଜୟପୁରର ଅଜମେରରେ ଘଟିଛି ଏହି ଦୁଃଖଦ ଘଟଣା ।
ଗୁରୁବାର ଅପରାହ୍ନ ପ୍ରାୟ ୩ଟା୪୫ବେଳେ ଜୟପୁର-ଅଜମେର ରାଜପଥରେ ଥିବା ମୌଖମପୁରା ଅଞ୍ଚଳରେ ଏକ ବସର ଚକ ଫାଟିଯାଇଥିଲା । ଏହି କାରଣରୁ ବସ୍ ନିୟନ୍ତ୍ରଣ ହରାଇ ଦେଇଥିଲା ଓ ଉକ୍ତ ବସ ଡିଭାଇଡର୍ ଭାଙ୍ଗି ଆଗରୁ ଆସୁଥିବା ଏକ କାରକୁ ଧକ୍କା ଦେଇଥିଲା। ଫଳରେ କାରରେ ଥିବା ସମସ୍ତ ଆଠ ଜଣ ଲୋକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଏଥିସହ ଛଅ ଜଣ ଆହତ ହୋଇଛନ୍ତି।ମୃତକମାନେ ଭିଲୱାଡାରୁ ମହାକୁମ୍ଭକୁ ବୁଡ ପକେଇବାକୁ ଯାଉଥିଲେ।
ଅଧିକ ପଢନ୍ତୁ: କ୍ରାସ ହୋଇ ଜଳିଗଲା ବାୟୁସେନାର ଲଢୁଆ ବିମାନ, ଅଳ୍ପକେ ବର୍ତ୍ତିଲେ ଦୁଇ ପାଇଲଟ୍
ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ଏବଂ ତଦନ୍ତ ଜାରି ରଖିଛି । ସମସ୍ତ ମୃତକ ପୁରୁଷ ବୋଲି ଜଣାପଡିଛି । ଏପଟେ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ କ୍ରେନ୍ ସାହାଯ୍ୟରେ ଦୁର୍ଘଟଣାଗ୍ରସ୍ତ ବସ୍ ଓ କାରକୁ ରାସ୍ତାରୁ ହଟାଇବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସ୍ ସହ ଧକ୍କା ହେବା ପରେ କାରଟି ଭାଙ୍ଗି ଚୁରମାର୍ ହୋଇଯାଇଛି ।