ନୂଆଦିଲ୍ଲୀ: ସ୍ୱାମୀଠୁ ଅଲଗା ହେବା ପରେ ପତ୍ନୀର ଭରଣପୋଷଣକୁ ନେଇ ସୁପ୍ରିମକୋର୍ଟ ବଡ ନିଷ୍ପତ୍ତି ଶୁଣାଇଛନ୍ତି । ଅଦାଲତଙ୍କ କହିବା କଥା ହୋଇପାରେ ପ୍ରଥମ ସ୍ୱାମୀଠୁ ଆଇନଗତ ଭାବେ ବିଚ୍ଛିନ୍ନ ନ ହୋଇଥିଲେ ବି ଜଣେ ମହିଳା ଦ୍ୱିତୀୟ ସ୍ୱାମୀଙ୍କଠୁ ଭରଣପୋଷଣ ପାଇବାକୁ ହକଦାର । ଯଦି ମହିଳା ଓ ପ୍ରଥମ ସ୍ୱାମୀ ସହମତି ଭିତ୍ତିରେ ପରସ୍ପରଠୁ ଅଲଗା ହୋଇଛନ୍ତି ଏବଂ ଆଇନଗତ ଭାବେ ଛାଡପତ୍ର ପ୍ରକ୍ରିୟା ସରିନାହିଁ, ଏମିତି କ୍ଷେତ୍ରରେ ବି ଦ୍ୱିତୀୟ ସ୍ୱାମୀଙ୍କଠୁ ମହିଳା ଭରଣପୋଷଣ ଦାବି କରି ପାରିବେ ।
ଏହା ପୂର୍ବରୁ ତେଲେଙ୍ଗାନା ହାଇକୋର୍ଟ ମହିଳାଙ୍କୁ ଦ୍ୱିତୀୟ ସ୍ୱାମୀଙ୍କଠୁ ଭରଣପୋଷଣ ପାଇବାକୁ ମନା ଏଥିପାଇଁ କରିଥିଲେ, କାରଣ ତାଙ୍କର ପ୍ରଥମ ସ୍ୱାମୀଙ୍କ ସହ ଆଇନଗତ ଭାବେ ଛାଡପତ୍ର ସରି ନ ଥିଲା । ଏବେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ଆଦେଶ ବିରୋଧରେ ମହିଳାଙ୍କ ଅପିଲକୁ ସ୍ୱୀକାର କରିଛନ୍ତି । ଜଷ୍ଟିସ ବିଭି ନାଗରତ୍ନା ଓ ଜଷ୍ଟିସ ସତୀଶ ଚନ୍ଦ୍ର ଶର୍ମାଙ୍କ ପୀଠ ମାମଲାର ଶୁଣାଣି କରିଥିଲେ ।
ସୁପ୍ରିମକୋର୍ଟ କହିଛନ୍ତି, ସିଆରପିସିର ଧାରା ୧୨୫ ଆଧାରରେ ପତ୍ନୀଙ୍କୁ ମିଳୁଥିବା ଭରଣପୋଷଣ ଅଧିକାରକୁ ଫାଇଦା ବୋଲି କୁହାଯାଇ ପାରିବ ନାହିଁ, ବରଂ ସ୍ୱାମୀର ଏହା ଆଇନଗତ ଏବଂ ନୈତିକ ଦାୟିତ୍ୱ ।
କଣ ଥିଲା ମାମଲା
ଆବେଦନକାରୀ ମହିଳା ପ୍ରଥମ ସ୍ୱାମୀଙ୍କଠୁ ଆନୁଷ୍ଠାନିକ ଭାବେ ଛାଡପତ୍ର ନ ନେଇ ଦ୍ୱିତୀୟ ପୁରୁଷ ସହ ବିବାହ କରିଥିଲେ । ଦ୍ୱିତୀୟ ସ୍ୱାମୀ ଜଣକ ମହିଳାଙ୍କ ପ୍ରଥମ ବିବାହ ବିଷୟରେ ଅବଗତ ଥିଲେ । ଉଭୟ ଏକାଠି ରହିଲେ ଏବଂ ଉଭୟଙ୍କ ଏକ ପିଲା ମଧ୍ୟ ଅଛି । ମାତ୍ର ପାରିବାରିକ କଳହ କାରଣରୁ ଉଭୟ ଅଲଗା ହୋଇ ଯାଇଛନ୍ତି । ଏବେ ମହିଳା ସିଆରପିସିର ଧାରା ୧୨୫ ଆଧାରରେ ଭରଣପୋଷଣ ଦାବି କରିଥିଲେ, ଯାହାକୁ ଫ୍ୟାମିଲି କୋର୍ଟ ସ୍ୱୀକାର କରିଥିଲେ ।