ଭୁବନେଶ୍ୱର: ରାତି ପାହିଲେ ଓଡ଼ିଶା ଗସ୍ତରେ ଆସିବେ ଉଭୟ ଭାରତ ଏବଂ ଇଂଲଣ୍ଡ ଦଳର କ୍ରିକେଟ୍ ଖେଳାଳି । ଭୁବନେଶ୍ୱର ତାରକା ହୋଟେଲ ମେ ଫେୟାରରେ ରହିବେ ଉଭୟ ଦଳର ଖେଳାଳୀ । ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ତେବେ ଏଥର ଖେଳାଳୀ କଂସା ଥାଳିରେ ପରସା ଓଡ଼ିଶାର ପାରମ୍ପାରିକ ଖାଦ୍ୟ । ଓଡ଼ିଶାର ସୁଆଦିଆ ଡାଲମା ସାଙ୍ଗକୁ ଖାଇବେ ପିଠା ମିଠା ଓ ବିଶେଷ କରି ମାଣ୍ଡିଆରେ ତିଆରି ସ୍ୱାସ୍ଥ୍ୟକର ଖାଦ୍ୟ । ଏ ନେଇ ମେଫେୟାର ସଭାପତି ମନୋଜ ଗୌଡ଼ ସୂଚନା ଦେଇଛନ୍ତି ।
ଆସନ୍ତା ୯ ତାରିଖ ରବିବାରରେ ବାରବାଟୀରେ ଖେଳାଯିବ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍ । ଆସନ୍ତାକାଲି ଖେଳାଳି ମାନେ ଆସି ଭୁବନେଶ୍ୱରରେ ପହଁଚିବେ । ଉଭୟ ଦଳର ଖେଳାଳିଙ୍କ ପାଇଁ ଭୁବନେଶ୍ୱର ମେ ଫେୟାର ହୋଟେଲରେ ରହଣି ବ୍ୟବସ୍ଥା କରାଯାଇଛି । ଏଥିପାଇଁ ମେ ଫେୟାର ହୋଟେଲକୁ ପୁରା ବୁକିଂ କରାଯାଇଛି । କେହି ବାହାର ଅତିଥିମାନେ ଏହି ସମୟରେ ରହିପାରିବେନି । ଖେଳାଳିମାନଙ୍କ ଖାଇବା ଉପରେ ପୁରା ଧ୍ୟାନ ଦେଇଛି ମେଫେୟାର । ସକାଳ ଜଳଖିଆଠୁ ଆରମ୍ଭ କରି ଦ୍ୱିପହର ଓ ରାତ୍ର ଭୋଜନ ପର୍ଯ୍ୟନ୍ତ ସବୁଥିରେ ବିଶେଷ ଧ୍ୟାନ ଦିଆଯାଇଛି । ଖେଳାଳିଙ୍କ ମେନ୍ୟୁରେ ଓଡ଼ିଆ ଖାଦ୍ୟ ରହିଛି । ମାଣ୍ଡିଆରେ ପ୍ରସ୍ତୁତ ଜଳଖିଆ ସହ ମଣ୍ଡା ପିଠା ପରସା ଯିବ ।
ଅନ୍ୟପକ୍ଷରେ ଆଜି ବିମାନ ବନ୍ଦରରୁ ମେ ଫେୟାର ହୋଟେଲ ଯାଏ କମିଶନରେଟ୍ ପୋଲିସ ପକ୍ଷରୁ ମକ୍ ଡ୍ରିଲ୍ କରାଯାଇଛି । ଖେଳାଳିଙ୍କ ଯିବା ଆସିବାରେ ଯେପରି କୌଣସି ଅସୁବିଧା ନ ହୁଏ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି ।