ନୂଆଦିଲ୍ଲୀ: ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ମୁଖ୍ୟମନ୍ତ୍ରୀଙ୍କର ସମ୍ପତ୍ତି ତାଲିକା ପ୍ରକାଶ ପାଇଛି । ଏଡିଆର୍ ରିପୋର୍ଟ ମୁତାବକ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଦେଶର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ । ତାଙ୍କର ସର୍ବମୋଟ ୯୩୧ କୋଟି ଟଙ୍କାର ସମ୍ପତ୍ତି ରହିଛି । ସେହିପରି ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ ହେଉଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତାଙ୍କର ମାତ୍ର ୧୫ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି ।
ଚନ୍ଦ୍ରବାବୁଙ୍କ ତଳକୁ ରହିଛନ୍ତି ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ, ତାଙ୍କ ପାଖରେ ଅଛି ୩୩୨ କୋଟି ଟଙ୍କାର ସମ୍ପତ୍ତି । କିନ୍ତୁ ଅଧିକ ଋଣ କରିଥିବା ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛନ୍ତି ୧୮୦ କୋଟି ଟଙ୍କା ଋଣ କରିଛନ୍ତି । ସେହିପରି ତୃତୀୟରେ ଥିବା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କ ପାଖରେ ୫୧ କୋଟି ଟଙ୍କାର ସମ୍ପତ୍ତି ରହିଛି । ସେ ୨୩ କୋଟିର ଋଣ କରିଥିବା ଜଣାପଡ଼ିଛି ।
ତେବେ ଏହି ସମ୍ପତ୍ତି ତାଲିକାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନାମ ୨୨ ତମ ସ୍ଥାନରେ ରହିଛି । ମୋହନ ମାଝୀଙ୍କର ୧ କୋଟି ୯୭ ଲକ୍ଷ ଟଙ୍କା ରହିଥିବାବେଳେ ୯୫ ଲକ୍ଷ ଟଙ୍କାର ଋଣ ରହିଛି ।
ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ ହେଉଛନ୍ତି ମମତା ବାନାର୍ଜୀ । ସେହିପରି ଦ୍ୱିତୀୟରେ ରହିଛନ୍ତି ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା, ତାଙ୍କର ଅଛି ୫୫ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି । ସେହିପରି କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ତୃତୀୟ ଗରିବ ମୁଖ୍ୟମନ୍ତ୍ରୀ, ସେ ମୋଟ ୧.୧୮ କୋଟି ଟଙ୍କା ସମ୍ପତ୍ତିର ଅଧିକାରୀ ।
ସବୁ ମୁଖ୍ୟମନ୍ତ୍ରୀ ମୋଟ ସମ୍ପତ୍ତି ମୂଲ୍ୟ ୧୬୩୦ କୋଟି ରହିଛି । ମୁଖ୍ୟମନ୍ତ୍ରୀଙ୍କ ହାରାହାରି ସମ୍ପତ୍ତି ୫୨.୫୯ କୋଟି ରହିଥିବା ଦେଖାଯାଇଛି । ଦେଶର ବାର୍ଷିକ ଆୟ ତୁଳନାରେ ମୁଖ୍ୟମନ୍ତ୍ରୀମାନଙ୍କ ବାର୍ଷିକ ଆୟ ହାରାହାରି ୧୩ ଲକ୍ଷ ୬୪ ହଜାର ଟଙ୍କା ରହିଛି । ଯାହାକି ଭାରତର ମୁଣ୍ଡ ପିଛା ଆୟ ୧ ଲକ୍ଷ ୮୦ ହଜାର ଟଙ୍କା ତୁଳନାରେ ୭.୩ ଗୁଣ ଅଧିକ ରହିଛି ।
ସେହିପରି ଦେଶର ମୋଟ ୧୩ ଜଣ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ରହିଛି ଅପରାଧିକ ମାମଲା । ହତ୍ୟା ଉଦ୍ୟମ, ଲୁଟ, ଅପହରଣ ଭଳି ସଙ୍ଗୀନ ମାମଲା ରହିଛି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀଙ୍କ ନାଁରେ ସର୍ବାଧିକ ୮୯ଟି ମାମଲା ରହିଛି । ତାଙ୍କ ତଳକୁ ଅଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ, ଯାହାଙ୍କ ନାଁରେ ୪୭ଟି ମାମଲା ରହିଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନାଁରେ କେବଳ ଗୋଟିଏ ମାମଲା ରହିଛି।
ତେବେ ଦେଶରେ ମହିଳା ନେତୃତ୍ୱରେ ବିଶେଷ କିଛି ପରିବର୍ତ୍ତନ ନଜର ଆସି ନାହିଁ । ୩୧ ଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ମାତ୍ର ୨ ଜଣ ମହିଳା ମୁଖ୍ୟମନ୍ତ୍ରୀ ରହିଛନ୍ତି । ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିଶୀ ମାର୍ଲେନାଙ୍କ ନାମ ରହିଛି ।