ବଦ୍ରିନାଥ: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ବଦ୍ରିନାଥରେ ହୋଇଥିବା ହିମସ୍ଖଳନରେ ଫସି ରହିଥିବା ଶ୍ରମିକଙ୍କ ମଧ୍ୟରୁ ଜଣେଙ୍କର ଶବ ଉଦ୍ଧାର ହୋଇଛି । ଆହୁରି ୬ ଜଣଙ୍କୁ ବଞ୍ଚାଇବାକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ମୃତ ଦେହ ଉଦ୍ଧାର ନେଇ କୌଣସି ସରକାରୀ ସୂଚନା ଜାରି କରାଯାଇ ନାହିଁ ।
ଅନ୍ୟପକ୍ଷରେ ଗତକାଲି ଉଦ୍ଧାର ହୋଇଥିବା ଗୁରୁତର ଶ୍ରମିକଙ୍କୁ ଜ୍ୟୋର୍ତିମଠକୁ ସ୍ଥାନାନ୍ତର କରାଯାଇଛି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଘଟଣା ସ୍ଥଳରେ ପହଁ ଉଦ୍ଧାର କାର୍ଯ୍ୟକୁ ନିଜେ ତଦାରଖ କରିବା ସହିତ ଆହତ ଶ୍ରମିକଙ୍କୁ ଭେଟି ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି । ସରକାର ଏହି ସଙ୍କଟ ପରିସ୍ଥିତିରେ ଯଥା ସମ୍ଭବ ସହାୟତା କରିବାକୁ ପ୍ରତିବଦ୍ଧ ଅଛନ୍ତି । ପ୍ରଭାବିତ ଶ୍ରମିକଙ୍କ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଶାସନ, ସେନା ଏବଂ ଏସଡିଆରଏଫ ଟିମ୍ ଲଗାତର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ ଉଦ୍ଧାରକାର୍ଯ୍ୟରେ ସମ୍ପୂର୍ଣ୍ଣ ସହଯୋଗର ହାତ ବଢ଼ାଇଛନ୍ତି । ଡବଲ୍ ଇଞ୍ଜିନ୍ ସରକାର ନାଗରିକମାନଙ୍କ ସହିତ ମଜବୁତ ଭାବରେ ଛିଡ଼ା ହୋଇଛି ।
ସେପଟେ ହିମସ୍ଖଳନ ନେଇ ସତର୍କ ସୂଚନା ଜାରି କରାଯାଇଛି । ଉତ୍ତରାଖଣ୍ଡର ଉତ୍ତରକାଶୀ, ଚମୋଲୀ, ରୁଦ୍ରପ୍ରତାପ, ପିଥୌରଗଢ଼ ଏବଂ ବାଗେଶ୍ୱର ପାଇଁ ସତର୍କ ସୂଚନା ଜାରି ହୋଇଛି । ସବୁଠାରୁ ଅଧିକ ବିପଦ ଆଶଂକା ଚମୋଲୀ ଉପରେ ରହିଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଶୁକ୍ରବାର ଚମୋଲୀ ଜିଲ୍ଲା ମାନା ଗ୍ରାମ ନିକଟରେ ସୀମା ସଡ଼କ ସଂଗଠନ ଶ୍ରମିକମାନେ ଭାରତ-ତିବ୍ଦତ ସୀମାରେ ସେନାର ଗମନାଗମନ ପାଇଁ ବରଫ ସଫା କରୁଥିଲେ । ଏହି ସମୟରେ ହିମସ୍ଖଳନ ହୋଇଥିଲା । ଫଳରେ କାର୍ଯ୍ୟରତ ଶ୍ରମିକମାନେ ବରଫ ତଳେ ଚାପି ହୋଇଯାଇଥିଲେ । ସେମାନଙ୍କ ମଧ୍ୟରୁ ୪୯ ଜଣଙ୍କୁ ଉଦ୍ଧାର କରାଯାଇଥିଲା ।