ମୁମ୍ବାଇ: କେନ୍ଦ୍ରୀୟ ରେଳବାଇର ମହାପ୍ରବନ୍ଧକ ବିଜୟ କୁମାରଙ୍କର ପରଲୋକ ଘଟିଛି । ମଙ୍ଗଳବାର ଭୋର ସମୟରେ ମୁମ୍ବାଇର ଜଶଲୋକ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ସିଏ ମାତ୍ର ଏକ ମାସ ପୂର୍ବେ ଦାୟିତ୍ୱ ଗ୍ରହଣ କରିଥିଲେ । ଶୋଇଥିବାବେଲେ ହୃଦଘାତ ହୋଇଥିବା ଆଶଙ୍କା କରାଯାଉଥିବାବେଳେ ଶବ ବ୍ୟବଚ୍ଛେଦ ପରେ ସଠିକ୍ କାରଣ ଜଣାପଡିବ ବୋଲି ରେଳବାଇ ଅଧିକାରୀମାନେ କହିଛନ୍ତି।
ବିଜୟ କୁମାର ଭାରତୀୟ ରେଳବାଇ ସେବାର ୧୯୮୮ ବ୍ୟାଚର ଅଧିକାରୀ ଥିଲେ । ଅକ୍ଟୋବର ୧ ତାରିଖରେ କେନ୍ଦ୍ରୀୟ ରେଳବାଇର ଜେନେରାଲ ମ୍ୟାନେଜର ପଦରେ ନିଯୁକ୍ତି ହୋଇଥିଲେ । ଏହା ପୂର୍ବରୁ ଚିତ୍ତରଞ୍ଜନ ଲୋକୋମୋଟିଭ୍ ୱାର୍କ୍ସ (ସିଏଲଡବ୍ଲ୍ୟୁ) ଜେନେରାଲ ମ୍ୟାନେଜର ଥିଲେ । ୨୦୨୪-୨୫ରେ ସେ ରେକର୍ଡ ସଂଖ୍ୟକ ୭୦୦ ଲୋକୋମୋଟିଭ୍ ଉତ୍ପାଦନର ନେତୃତ୍ୱ ନେଇଥିଲେ। ଚଳିତ ଆର୍ଥିକ ବର୍ଷରେ ୭୭୭ର ମହତ୍ୱାକାଂକ୍ଷୀ ଲକ୍ଷ୍ୟ ହାସଲ କରିବା ପାଇଁ ସିଏଲଡବ୍ଲ୍ୟୁ ପ୍ରଥମ ଛଅ ମାସରେ ୪୧୭ ଲୋକୋମୋଟିଭ୍ ପଠାଇ ସାରିଛି। ସେ ତାଙ୍କର ୩୫ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଭାରତୀୟ ରେଳବାଇରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଥିଲେ, ଯେପରିକି ରେଳବାଇ ବୋର୍ଡ, ଉତ୍ତର ରେଳବାଇ, ଉତ୍ତର ପଶ୍ଚିମ ରେଳବାଇ ଏବଂ ଗବେଷଣା ଡିଜାଇନ୍ ଏବଂ ମାନକ ସଂଗଠନ (RDSO)। ସେ ନ୍ୟାସନାଲ ହାଇ ସ୍ପିଡ୍ ରେଳ କର୍ପୋରେସନ ଲିମିଟେଡ୍ (NHSRCL) ରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏବଂ ନିର୍ଦ୍ଦେଶକ (ରୋଲିଂ ଷ୍ଟକ୍) ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ସେହିପରି ରେଳ ବୋର୍ଡରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେମି-ହାଇ-ସ୍ପିଡ୍ କରିଡର ବିକାଶରେ ଭୂମିକା ଗ୍ରହଣ କରିଥିଲେ ଏବଂ ସ୍ପାନିସ୍-ଡିଜାଇନ୍ ଟାଲଗୋ ଟ୍ରେନଗୁଡ଼ିକର ସ୍ପିଡ୍ ପରୀକ୍ଷଣ ତଦାରଖ କରିଥିଲେ । ତାଙ୍କ ପରିବାରରେ ତାଙ୍କ ସ୍ତ୍ରୀ, ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି।