ନୂଆଦିଲ୍ଲୀ: କେନ୍ଦ୍ରୀୟ ସରକାରୀ କର୍ମଚାରୀ ଓ ପେନସନ୍ ଉପଭୋକ୍ତାଙ୍କୁ ଖୁସି କରିଛନ୍ତି ମୋଦୀ ସରକାର । ବହୁ ଦିନରୁ ଅପେକ୍ଷା କରି ରହିଥିବା ଅଷ୍ଟମ ବେତନ ଆୟୋଗ ଗଠନ (8th pay commission) ପାଇଁ ଗୁରୁବାର କେନ୍ଦ୍ର ସରକାର ମଞ୍ଜୁରି ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ନେତୃତ୍ୱରେ ଅଷ୍ଟମ ବେତନ କମିଶନ ଗଠନ ହେବ । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ୱୀନି ବୈଷ୍ଣବ ।
ବହୁ ଦିନରୁ ସରକାରୀ କର୍ମଚାରୀମାନ ଅପେକ୍ଷା କରି ରହିଥିବା ୮ମ ବେତନ ଆୟୋଗ ଗଠନ ପାଇଁ କେନ୍ଦ୍ରର ଅନୁମୋଦନ ମିଳିଛି । ସମସ୍ତ ରାଜ୍ୟ ଏବଂ ପିଏସୟୁ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଲାଗୁ ହେଲେ ସରକାରୀ କର୍ମଚାରୀଙ୍କ ଦରମା ଅହେତୁକ ଭାବରେ ବୃଦ୍ଧି ପାଇବ । ଏଥିରେ ଫିଟମେଣ୍ଟ୍ ଫ୍ୟାକ୍ଟର ୨.୮୬ ସ୍ଥିର ହୋଇପାରେ । ଅର୍ଥାତ୍ ମୂଳ ଦରମା କିମ୍ବା ପେନସନର ୨.୮୬ ଗୁଣା ହେବ । ଯଦି ଏହା ହୁଏ ତେବେ କେନ୍ଦ୍ର ସରକାରଙ୍କ ଅଧିନରେ କାମ କରୁଥିବା କର୍ମଚାରୀଙ୍କୁ ସର୍ବନିମ୍ନ ୫୧,୪୮୦ ଟଙ୍କା ଦରମା ମିଳିବ । ବର୍ତ୍ତମାନ ସର୍ବନିମ୍ନ ବେସିକ୍ ଦରମା ୧୮,୦୦୦ଟଙ୍କା ରହିଛି । ସେହିପରି ସର୍ବନିମ୍ନ ପେନସନ୍ ମଧ୍ୟ ୯୦୦୦ ଟଙ୍କାର ବୃଦ୍ଧି ପାଇ ୨୫,୭୪୦ ଟଙ୍କା ମିଳିବ ।
ବେତନ ଆୟୋଗକୁ ଇତିହାସକୁ ଦେଖିଲେ ଏହା ପ୍ରତି ୧୦ ବର୍ଷରେ ଥରେ ବଦଳିଥାଏ । ୪ର୍ଥ, ୫ମ ଏବଂ ୬ଷ୍ଠ ବେତନ କମିଶନ ପ୍ରତି ୧୦ ବର୍ଷରେ ଥରେ ଲାଗୁ ହୋଇଛି । ୭ମ ବେତନ କମିଶନ କାର୍ଯ୍ୟକାରୀ କରିବା ଲାଗି ମନମୋହନ ସିଂହଙ୍କ ନେତୃତ୍ଵାଧୀନ ସରକାର ୨୦୧୪ ଫେବୃଆରୀରେ କମିସନ ଗଠନ ହୋଇଥିଲା । ଏହା ପରେ ୨୦୧୬, ଜାନୁୟାରୀ ମାସରେ ୭ମ ବେତନ କମିଶନ ଲାଗୁ ହୋଇଥିଲା । ୨୦୨୫ ଡିସେମ୍ବର ମାସରେ ଏହାକୁ ୧୦ ବର୍ଷ ପୂରିବାକୁ ଥିବାବେଳେ ଏହାର ଯଥେଷ୍ଟ ପୂର୍ବରୁ ୮ମ ବେତନ କମିଶନ ଲାଗୁ ହୋଇଛି ।
୭ମ ବେତନ କମିଶନରେ ଫିଟମେଣ୍ଟ୍ ଫ୍ୟାକ୍ଟର ୨.୫୭ ଲାଗୁ ହୋଇଥିଲା । ଯଦ୍ୱାରା ମୂଳ ଦରମା ଏବଂ ପେନସନ ୨.୫୭ ଗୁଣା ଅଧିକ ହୋଇଥିଲା । ଏହା ମୂଳ ବେତନର ୨.୫୭ ପ୍ରତିଶତ ବୃଦ୍ଧି ସହିତ ବରାବର ଥିଲା । ଏହା ପୂର୍ବରୁ ୬ଷ୍ଠ ବେତନ କମିଶନରେ ଫିଟମେଣ୍ଟ ଫ୍ୟାକ୍ଟର୍ ୧.୮୬ ଥିଲା ।
ଗତ ୨୦୨୪-୨୫ ବଜେଟ୍ରେ ଏ ସମ୍ପର୍କରେ ଘୋଷଣା କରିବା ଲାଗି କର୍ମଚାରୀ ସଂଘ ପକ୍ଷରୁ ଦାବି କରାଯାଇଥିଲା। ଏଥିପାଇଁ କର୍ମଚାରୀ ସଂଘ କ୍ୟାବିନେଟ ସଚିବ ଓ ଅର୍ଥ ମନ୍ତ୍ରଣାଳୟ ନିକଟରେ ଦାବି ଉପସ୍ଥାପନ କରିଥିଲା।