ନୂଆଦିଲ୍ଲୀ: ଆଉ କିଛି ଦିନ ପରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ)ର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବ । ଏହା ପୂର୍ବରୁ ସିବିଏସଇ ବଡ଼ ପଦକ୍ଷେପ ଗ୍ରହଣ କରିଛି । ଛାତ୍ରଛାତ୍ରୀଙ୍କ ତଥ୍ୟକୁ ଗୋପନୀୟ ଏବଂ ସୁରକ୍ଷିତ ରଖିବାକୁ ଡିଜି ଲକର୍ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିବା ସ୍ୱତନ୍ତ୍ର 6 ଟିକିଆ ନମ୍ବର ଦ୍ୱାରା କେବଳ ସେମାନେ ହିଁ ନିଜର ପରୀକ୍ଷା ଫଳ ଦେଖି ପାରିବେ ।
ପ୍ରତିବର୍ଷ ପରି, CBSE, ନ୍ୟାସନାଲ ଇ-ଗଭର୍ଣ୍ଣାନ୍ସ ଡିଭିଜନ (NeGD) ସହିତ ଡିଜିଲକର ପ୍ଲାଟଫର୍ମରେ ଛାତ୍ରଛାତ୍ରୀମାନଙ୍କୁ ମାର୍କ ସିଟ୍, ପାସିଂ ସାର୍ଟିଫିକେଟ୍ ଏବଂ ମାଇଗ୍ରେସନ୍ ସାର୍ଟିଫିକେଟ୍ ର ଡିଜିଟାଲ ସଂସ୍କରଣ ପ୍ରଦାନ କରିବ। ଡାଟା ସୁରକ୍ଷା ଏବଂ ଗୋପନୀୟତାକୁ ବୃଦ୍ଧି କରିବା ଲକ୍ଷ୍ୟରେ, CBSE ଛାତ୍ର ଆକାଉଣ୍ଟ ସକ୍ରିୟକରଣ ପାଇଁ ଏକ ଛଅ-ଅଙ୍କ ବିଶିଷ୍ଟ ଆକ୍ସେସ୍ କୋଡ୍ ସିଷ୍ଟମ କାର୍ଯ୍ୟକାରୀ କରିଛି । ବିଦ୍ୟାଳୟଗୁଡ଼ିକ ଉକ୍ତ କୋଡ୍ ପ୍ରଦାନ କରିବେ ।
ସିବିଏସଇର ଅଫିସିଆଲ୍ ପୋଷ୍ଟ ଅନୁଯାୟୀ, "ଛାତ୍ରମାନଙ୍କ ତଥ୍ୟର ସୁରକ୍ଷା ଏବଂ ଗୋପନୀୟତାକୁ ଆହୁରି ସୁଦୃଢ଼ କରିବା ପାଇଁ, ସିବିଏସଇ ଛାତ୍ରମାନଙ୍କ ଡିଜିଲକର ଆକାଉଣ୍ଟ ପାଇଁ ଛଅ ଅଙ୍କ ବିଶିଷ୍ଟ ଆକ୍ସେସ୍ କୋଡ୍ ଆଧାରିତ ସକ୍ରିୟକରଣ ଆରମ୍ଭ କରିଛି । ଡିଜିଲକର ଆକାଉଣ୍ଟଗୁଡ଼ିକ ସକ୍ରିୟ ହେବା ପରେ, ଛାତ୍ରମାନେ 'ପ୍ରଦତ୍ତ ଡକ୍ୟୁମେଣ୍ଟ୍ସ' ବିଭାଗ ଅଧୀନରେ ସେମାନଙ୍କର ଡିଜିଟାଲ୍ ଏକାଡେମିକ୍ ଡକ୍ୟୁମେଣ୍ଟଗୁଡ଼ିକୁ ଆକ୍ସେସ୍ କରିପାରିବେ। ଛାତ୍ରଭିତ୍ତିକ ଆକ୍ସେସ୍ କୋଡ୍ ଫାଇଲ୍ ସ୍କୁଲଗୁଡ଼ିକୁ ସେମାନଙ୍କର ଡିଜିଲକର ଆକାଉଣ୍ଟରେ ଉପଲବ୍ଧ କରାଯାଉଛି ଯେଉଁଠାରୁ ସ୍କୁଲଗୁଡ଼ିକ ବ୍ୟକ୍ତିଗତ ଛାତ୍ରମାନଙ୍କୁ ଆକ୍ସେସ୍ କୋଡ୍ ଡାଉନଲୋଡ୍ ଏବଂ ପ୍ରସାରିତ କରିପାରିବେ।"
କେମିତି କରିବେ ଡିଜିଲକରର ବ୍ୟବହାର
୧- ଛାତ୍ରଛାତ୍ରୀମାନେ https://cbseservices.digilocker.gov.in ଲିଙ୍କକୁ ଯିବେ ।
୨- ସମସ୍ତ ନିର୍ଦ୍ଦେଶାବଳୀ ଭଲ ଭାବରେ ପଢ଼ିବା ପରେ Get Started ଅପସନରେ କ୍ଲିକ୍ କରିବେ ।
୩- ତା ପରେ ନିଜର ଶ୍ରେଣୀ (X or XII), ବିଦ୍ୟାଳୟ କୋଡ୍, ରୋଲ୍ ନମ୍ବର ଓ ବିଦ୍ୟାଳୟ ଦିଆଯାଇଥିବା ଛଅ ଅଙ୍କ ବିଶିଷ୍ଟ ନମ୍ବର ଦେବେ । ଏହା ପରେ “Next”କୁ କ୍ଲିକ୍ କରିବେ ।
୪- ବିଦ୍ୟାଳୟରେ ଦିଆଯାଇଥିବା ମୋବାଇଲ ନମ୍ବରକୁ ଏକ ଓଟିପି (OTP)ଆସିବ , ଉକ୍ତ ଓଟିପି ନମ୍ବର ଦେବ ।
୫- ଏହା ପରେ ଡିଜିଲକର୍ ଆକାଉଣ୍ଟ ଆକ୍ଟିଭ୍ ହୋଇଯିବ ।
୬- ଯଦି କାହା ପାଖରେ ପୂର୍ବରୁ ଡିଜି ଲକର୍ ଥିବ ତେବେ ସିଧା ସଳଖ “DigiLocker account”ରେ କ୍ଲିକ୍ କରିହେବ ।
୭- ଏହା ପରେ ଛାତ୍ରାଛାତ୍ରୀମାନେ ନିଜର ପରୀକ୍ଷା ଫଳ, ସାର୍ଟିଫିକେଟ୍, କାଗଜପତ୍ର ଇତ୍ୟାଦି ପାଇ ପାରିବେ ।
ତେବେ ପରୀକ୍ଷା ଫଳ କେବେ ପ୍ରକାଶ ପାଇବ ସେ ନେଇ ସିବିଏସଇ ପକ୍ଷରୁ କୌଣସି ସୂଚନା ଦିଆଯାଇନ ଥିବାବେଳେ ଖୁବ ଶୀଘ୍ର ଫଳ ପ୍ରକାଶ କରାଯିବ ବୋଲି କୁହାଯାଇଛି ।