ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କୀ ହମଲା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଛି । ଭାରତ ପଡୋଶୀ ପାକିସ୍ତାନ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କେନ୍ଦ୍ର ସରକାରଙ୍କ ଘନ ଘନ ବୈଠକ ଜାରି ରହିଛି । ଏହି କ୍ରମରେ ମଙ୍ଗଳବାର ପୁଣି ଥରେ ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନଏସଏ) ଅଜିତ ଡୋଭାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ପ୍ରଧାନମନ୍ତ୍ରୀ ବାସଭବନରେ ଏହି ସାକ୍ଷାତ ହୋଇଛି ।
କେନ୍ଦ୍ର ସରକାର ଆତଙ୍କବାଦ ବିରୋଧରେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ପାଇଁ ରଣନୀତି ପ୍ରସ୍ତୁତିରେ ଜୁଟିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲଗାତାର ଉଚ୍ଚସ୍ତରୀୟ ବୈଠକ ଜାରି ରହିଛି । ଗତ ୨୪ ଘଣ୍ଟାରେ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ଏନଏସଏ ଅଜିତ ଡୋଭାଲଙ୍ୁ ଭେଟିଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ମକଡ୍ରିଲ ଆୟୋଜନ ପୂର୍ବରୁ ଏହି ସାକ୍ଷାତ ହୋଇଛି ।
ଗତ କିଛି ଦିନରେ ନରେନ୍ଦ୍ର ମୋଦୀ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଏନଏସଏ ଅଜିତ ଡୋଭାଲ, ଚିଫ ଅଫ ଡିଫେନ୍ସ ଷ୍ଟାଫ ଅନିଲ ଚୌହାନ, ସ୍ଥଳସେନା, ନୌସେନା ଓ ବାୟୁସେନାର ପ୍ରମୁଖଙ୍କ ସହିତ ଅନେକ ଉଚ୍ଚସ୍ତରୀୟ ବୈଠକ ବସିଛି । ଫଳରେ ଲସ୍କର ଏ ତୋଇବା ଗୋଷ୍ଠୀ ବିରୋଧରେ ସୈନ୍ୟ କାର୍ଯ୍ୟାନୁଷ୍ଠାନ ହେବା ନେଇ ଚର୍ଚ୍ଚା ଜୋର ଧରିଛି ।
ଏହା ପୂର୍ବରୁ ଗତକାଲି ବଡ ନିଷ୍ପତ୍ତି ସ୍ୱରୂପ ଗୃହ ମନ୍ତ୍ରଣାଳୟ ରାଜ୍ୟସରକାରମାନଙ୍କୁ ଯୁଦ୍ଧସ୍ଥିତିର ମୁକାବିଲା ପାଇଁ ମେ ୭ରେ ମକଡ୍ରିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନାଗରିକଙ୍କ ସୁରକ୍ଷା ପାଇଁ ମେ ୭ ତାରିଖରେ ସାରା ଦେଶରେ ମକ୍ ଡ୍ରିଲ୍ ଆୟୋଜନ କରାଯାଉଛି। ଏହି ପରିପ୍ରେକ୍ଷୀରେ, ଦିଲ୍ଲୀରେ କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନଙ୍କ ଦ୍ୱାରା ଡକାଯାଇଥିବା ବୈଠକ ସମାପ୍ତ ହୋଇଛି। ଶେଷ ଥର ପାଇଁ ଏପରି ଏକ ଅଭ୍ୟାସ ୧୯୭୧ ମସିହାରେ କରାଯାଇଥିଲା, ଯାହାକି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧର ବର୍ଷ ଥିଲା।
ସୂଚନାଯୋଗ୍ୟ, ୨୨ ଏପ୍ରିଲରେ ପହଲଗାମରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା। ୨୦୧୯ ପୁଲୱାମା ଆକ୍ରମଣ ପରେ ଏହା ଭାରତରେ ସବୁଠାରୁ ଭୟାନକ ଆତଙ୍କବାଦୀ ଘଟଣା ଥିଲା ।