ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ହୋଇଥିବା ହିନ୍ଦୁ ବିରୋଧୀ ଦଙ୍ଗା ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ। ସେ କହିଛନ୍ତି,ମମତାଙ୍କ କାର୍ଯ୍ୟ ପଶ୍ଚିମବଙ୍ଗରେ ସାମାଜିକ ବିଭାଜନ ସୃଷ୍ଟି କରୁଥିବା ବେଳେ ତାଙ୍କର ଜାତୀୟ ଏକତା ବିଷୟରେ ଆଲୋଚନା କରିବାର ଅଧିକାର ନାହିଁ। ସେ ଜଣେ ହିନ୍ଦୁ ବିରୋଧୀ। ତାଙ୍କର ଜାତିର ଏକତା ବିଷୟରେ କହିବାର କୌଣସି ଅଧିକାର ନାହିଁ। ସେ ପଶ୍ଚିମବଙ୍ଗରେ ସମାଜକୁ ବିଭାଜିତ କରିଥିଲେ। ମୁର୍ଶିଦାବାଦରେ କ’ଣ ଘଟୁଛି? ମମତା ବାନାର୍ଜୀ କ’ଣ କରିଥିଲେ? ପଶ୍ଚିମବଙ୍ଗରେ ସମସ୍ତ ସାମ୍ପ୍ରଦାୟିକ ହିଂସା ପାଇଁ ସେ ଦାୟୀ” ବୋଲି କହିଛନ୍ତି ପ୍ରତାପ ଷଡଙ୍ଗୀ। ତେବେ ପୂର୍ବରୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ମମତା ବାନାର୍ଜୀଙ୍କୁ ହିନ୍ଦୁ ବିରୋଧୀ ଏବଂ ପ୍ରଭୁ ଜଗନ୍ନାଥ ଭକ୍ତଙ୍କ ବିରୋଧୀ ବୋଲି କହି ସମାଲୋଚନା କରିଥିଲେ।
ମୁର୍ଶିଦାବାଦରେ ହିନ୍ଦୁଙ୍କ ଉପରେ ଆକ୍ରମଣ ପଛରେ ଅଛନ୍ତି ରୋହିଙ୍ଗ୍ୟା ମୁସଲମାନ । ପ୍ରାଥମିକ ଅନୁସନ୍ଧାନରୁ ହିଂସାକାଣ୍ଡରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂପୃକ୍ତି ସାମ୍ନାକୁ ଆସିବା ପରେ କଡ଼ା ପଦକ୍ଷେପ ଗ୍ରହଣ କରିଛି ଗୃହ ମନ୍ତ୍ରଣାଳୟ । ପୋଲିସ ଉପସ୍ଥିତିରେ ହିନ୍ଦୁଙ୍କ ଘରେ ନିଆଁ ଲଗାଇବାଠାରୁ ଆରମ୍ଭ କରି ପାଣି ଟାଙ୍କିରେ କଠୋରପନ୍ଥୀ ବିଷ ମିଶାଇବା ଅଭିଯୋଗକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସଚିବ ପଶ୍ଚିମବଙ୍ଗ ଡିଜିପି ଓ ମୁଖ୍ୟ ଶାସନ ସଚିବଙ୍କୁ କରିଛନ୍ତି ରିପୋର୍ଟ ତଲବ । ଭୋଟବ୍ୟାଙ୍କ ଲୋଭରେ ମମତା ବାନାର୍ଜୀ ରାଜ୍ୟକୁ ଦ୍ବିତୀୟ ବାଂଲାଦେଶରେ ପରିଣତ କରିବାକୁ ଷଡ଼ଯନ୍ତ୍ର ସହ ରାଜ୍ୟ ପୋଲିସକୁ ଅପାରଗ ବନାଇ ରଖିଥିବା ଅଭିଯୋଗ କରିଛନ୍ତି ପଶ୍ଚିମବଙ୍ଗରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ । ହିଂସାକୁ ନେଇ ମମତାଙ୍କ ନିରବତା ଉପରେ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ।