ଆନ୍ଧ୍ରପ୍ରଦେଶ: ପୁଣି ଇତିହାସ ରଚିଲା ଇସ୍ରୋ । ବିଶ୍ବର ସବୁଠାରୁ ମହଙ୍ଗା ସାଟେଲାଇଟ୍ 'ନିସାର'ର ହେଲା ଉତ୍କ୍ଷେପଣ । ବୁଧବାର ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ଅନ୍ତରୀକ୍ଷ କେନ୍ଦ୍ରରୁ ୫ଟା ୪୦ ମିନିଟରେ ଏହାକୁ ଲଞ୍ଚ କରାଯାଇଛି। ଏହି ସାଟେଲାଇଟ ଇସ୍ରୋ ଏବଂ ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥା ନାସାର ମିଳିତ ଉଦ୍ୟମରେ ପ୍ରସ୍ତୁତ ହୋଇଛି। ଏହାକୁ ସୂର୍ଯ୍ୟ ସମକାଳୀନ ଧ୍ରୁବୀୟ କକ୍ଷରେ ସ୍ଥାପନ କରାଯିବ, ଯେଉଁଠାରୁ ଏହା ସମଗ୍ର ପୃଥିବୀ ଉପରେ ନଜର ରଖିବ। ଏହି ମିଶନର ମୋଟ ଖର୍ଚ୍ଚ ପ୍ରାୟ ୧.୫ ବିଲିୟନ ଆମେରିକୀୟ ଡଲାର, ଅର୍ଥାତ ପ୍ରାୟ ୧୩,୧୨୦ କୋଟି ଟଙ୍କା।
ଜିଏସଏଲଭି-ଏଫ୧୬ ରକେଟ୍ ଦ୍ବାରା ସାଟେଲାଇଟ୍ ‘ନିସାର’ର ଉତକ୍ଷେପଣ କରାଯାଇଛି। ଭୂପୃଷ୍ଠରୁ ୭୪୩ କିଲୋମିଟର ଉଚ୍ଚରେ ପୃଥିବୀର ଚକ୍କର କାଟିବ ନିସାର । ୧୨ ଦିନରେ ୧,୨୭୩ର ପୃଥିବୀର ଚକ୍କର କାଟିବ ନିସାର ସାଟେଲାଇଟ୍ । ଆଉ ଏତିକି ସମୟ ଭିତରେ ଭୂପୃଷ୍ଠର ପ୍ରତ୍ୟେକ ଇଞ୍ଚର ମ୍ୟାପ୍ ପ୍ରସ୍ତୁତ କରି ତଥ୍ୟ ପଠାଇବ ।
ନିସାର ମିଶନ ହେଉଛି ଇସ୍ରୋ ଓ ନାସାର ଏକ ମିଳିତ ପ୍ରୟାସ, ଯାହାକୁ ଉଭୟ ସଂସ୍ଥା ବର୍ଷ ବର୍ଷ ଧରି କଠିନ ପରିଶ୍ରମ ପରେ ସଫଳ କରିଛନ୍ତି। ଇସ୍ରୋ ଏହାକୁ ଭାରତର ବାହୁବଳୀ ରକେଟ GSLV-F୧୬ ମାଧ୍ୟମରେ ଲଞ୍ଚ କରିଛି। ଏହା ଏକ ଏକ୍ସପେଣ୍ଡେବଲ ନନ-ରିୟୁଜେବଲ ତିନି-ପର୍ଯ୍ୟାୟ ଲଞ୍ଚ ଭେଇକିଲ। ପୂର୍ବରୁ ଇସ୍ରୋ ରିସୋର୍ସ ସାଟ୍ ଓ ରିସାଟ୍ ଭଳି ପୃଥିବୀ ନିରୀକ୍ଷଣ ସାଟେଲାଇଟ ଲଞ୍ଚ କରିଥିଲା, କିନ୍ତୁ ସେଗୁଡ଼ିକ କେବଳ ଭାରତୀୟ ଅଞ୍ଚଳ ପର୍ଯ୍ୟନ୍ତ ସୀମିତ ଥିଲା।
ନିସାର କ’ଣ ଓ ଏହା କାହିଁକି ସ୍ବତନ୍ତ୍ର?
ନିସାର ହେଉଛି ନାସା ଓ ଇସ୍ରୋର ସିନ୍ଥେଟିକ ଆପାର୍ଚର ରାଡାର ସାଟେଲାଇଟ, ଯାହା ଅନ୍ତରୀକ୍ଷରୁ ପୃଥିବୀକୁ ମ୍ୟାପିଂ କରିବାରେ ପ୍ରଥମ ରାଡାର ସାଟେଲାଇଟ। ଏହା ବିଭିନ୍ନ ପରିବେଶଗତ ଏବଂ ଭୂ-ବୈଜ୍ଞାନିକ ପରିବର୍ତ୍ତନର ନିରୀକ୍ଷଣ କରିବ। ମହାକାଶ ବିଜ୍ଞାନ ଇତିହାସରେ ଏହା ସବୁଠାରୁ ଦାମୀ ସାଟେଲାଇଟ୍ । ପାରମ୍ପରିକ ସାଟେଲାଇଟ୍ ଠାରୁ ସମ୍ପୂର୍ଣ୍ଣ ଭିନ୍ନ 'ନିସାର '। ପୃଥିବୀରେ ଦ୍ରୁତ ଗତିରେ ହେଉଥିବା ପାଣିପାଗ ପରିବର୍ତ୍ତନକୁ ବୁଝିବା ପାଇଁ ସକ୍ଷମ ନୁହେଁ ପାରମ୍ପରିକ ସାଟେଲାଇଟ୍ । ଆଉ ଏହାକୁ ଦୃଷ୍ଟିରେ ରଖି 'ନିସାର'କୁ ବିକଶିତ କରିଛନ୍ତି ବୈଜ୍ଞାନିକ ।
ପ୍ରାରମ୍ଭରେ ଏହାକୁ ଲୋ ଆର୍ଥ ଅର୍ବିଟରେ ରଖାଯାଇଛି, ଯେଉଁଠାରେ ଏହା ଲଗାତାର ତିନି ବର୍ଷ ଧରି ନିରୀକ୍ଷଣ କରିବ। ଏହି ସାଟେଲାଇଟ ପୃଥିବୀ ଭିତର ପର୍ଯ୍ୟନ୍ତ ମ୍ୟାପ ତିଆରି କରିପାରିବ, ବରଫାଚ୍ଛାଦିତ ପର୍ବତ ଓ ଜଙ୍ଗଲ ବିଷୟରେ ସୂଚନା ଦେଇପାରିବ। ଏହା ବରଫ ଢ଼ାଙ୍କିଥିବା ପାହାଡ଼ର ସଠିକ ଅଧ୍ୟୟନ, ଭୂମି ଧସିବା, ଜ୍ୱାଳାମୁଖୀ ଓ ଭୂମିକମ୍ପ ମାମଲାରେ ସହାୟକ ହେବ। ଏହା ସହ ନିସାର କୃଷି, ମାଟିର ଆର୍ଦ୍ରତା ଏବଂ ଅବସଂରଚନା ଉପରେ ମଧ୍ୟ ନଜର ରଖିବ।
ନିସାର ସାଟେଲାଇଟର ଓଜନ ୨.୫ ଟନ ଏବଂ ଏହାକୁ ପୃଥିବୀଠାରୁ ୭୪୮ କିଲୋମିଟର ଉଚ୍ଚତାରେ ପ୍ରକ୍ଷେପଣ କରାଯାଇଛି। ଲୋ ଆର୍ଥ ଅର୍ବିଟରୁ ଏହା ପୃଥିବୀର ଏକ ଚକ୍କର ୧୨ ଦିନରେ ସମ୍ପୂର୍ଣ୍ଣ କରିବ। ଥରକେ ୨୪୦ କିଲୋମିଟର ଅଞ୍ଚଳକୁ କଭର କରିବ ଏବଂ ଲଗାତାର ତିନି ବର୍ଷ ଧରି କାର୍ଯ୍ୟ କରିବ। ଇସ୍ରୋ ବୈଜ୍ଞାନିକଙ୍କ ମତରେ, ଏହି ସାଟେଲାଇଟ ପ୍ରତିଦିନ ୮୦ ଟେରାବାଇଟ ଡାଟା ଉପଲବ୍ଧ କରାଇବ।