ନୂଆଦିଲ୍ଲୀ: ଆସନ୍ତାକାଲି ଠୁ ଡିଜିଟାଲ ପେମେଣ୍ଟରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ । ୟୁପିଆଇ ଦ୍ବାରା ନିୟମିତ ବାଲାନ୍ସ ଚେକ୍ ଉପରେ କଟକଣା ଲାଗିବ। ନୂଆ ଗାଇଡ ଲାଇନ ଅନୁଯାୟୀ ଜଣେ ବ୍ୟବହାରକାରି ଗୋଟିଏ ୟୁପିଆଇ ଆପରେ ଦିନକୁ ୫୦ ଥର ବାଲାନ୍ସ ଚେକ କରିପାରିବେ । ୨୪ ଘଣ୍ଟାରେ ୫୦ ଥର ବାଲାନ୍ସ ଚେକ ପାଇଁ ଅନୁମତି ମିଳିବ । ପିକ୍ ଆୱାରରେ ଲୋଡ୍ କମାଇବା ପାଇଁ ଏଭଳି ନିୟମ ଆସିଛି ।
ଆବଶ୍ୟକ ସ୍ଥଳରେ ୟୁପିଆଇ ଆପ୍ ବାଲାନସ ଚେକ ଅନୁମତିକୁ କମାଇପାରିବ କିମ୍ବା ବନ୍ଦ କରିପାରିବ । ଏହାଛଡ଼ା ପ୍ରତି ସଫଳ ଟ୍ରାନଜାକ୍ସନ ପରେ ବ୍ୟାଙ୍କ ବାଲାନ୍ସ ମେସେଜ ଗ୍ରାହକଙ୍କୁ ପଠାଇବ। ୟୁପିଆଇ ଆପ୍ ବ୍ୟବହାର କରି ଜଣେ ୟୁଜର ଗୋଟିଏ ଆପରେ ଦିନକୁ ଅର୍ଥାତ ୨୪ ଘଣ୍ଟାରେ ୨୫ଟି ଆକାଉଣ୍ଟ ଯୋଡ଼ିପାରିବେ ।
ସେହିପରି ଅଟୋ ଡେବିଟ୍ ପାଇଁ ମଧ୍ୟ ଆସିଛି ନୂଆ ଗାଇଡ ଲାଇନ୍ । ଏଥିପାଇଁ ସମୟ ନିର୍ଦ୍ଧାରଣ କରାଯାଇଛି । କେବଳ ନନ୍ ପିକ୍ ଆୱାରରେ ହିଁ ଅଟୋ ଡେବିଟ୍ ଲାଗୁ ହେବ । ଟ୍ରାନଜାକସନ ପୂର୍ବରୁ ଆପରେ ଟଙ୍କା ପଠାଯାଉଥିବା ବ୍ୟକ୍ତିଙ୍କ ବ୍ୟାଙ୍କରେ ରେଜିଷ୍ଟ୍ରେସନ ଥିବା ଗ୍ରାହକଙ୍କ ନାଁ ଦେଖାଯିବ ।
ଏହାବ୍ୟତୀତ ବର୍ତ୍ତମାନ ପର୍ଯ୍ୟନ୍ତ ମାଗଣାରେ UPI ସେବା ପାଇଁ ଏଣିକି ଶୁଳ୍କ ଦେବାକୁ ପଡ଼ିପାରେ । ଦେଶର ବେସରକାରୀ ICICI ବ୍ୟାଙ୍କ , ଅଗଷ୍ଟ ୧, ୨୦୨୫ରୁ ପେମେଣ୍ଟ୍ ଏଗ୍ରିଗେଟର ମାନଙ୍କଠାରୁ UPI କାରବାର ଉପରେ ଶୁଳ୍କ ଆଦାୟ କରିବାକୁ ଯାଉଛି । ଏହି ନୂଆ ନିୟମ ଯୋଗୁଁ ସାଧାରଣ ଗ୍ରାହକଙ୍କ ଉପରେ ସିଧାସଳଖ ପ୍ରଭାବ ପଡ଼ିବାର ସମ୍ଭାବନା କମ୍ ଥିଲେ ମଧ୍ୟ, ଏହା ବ୍ୟବସାୟୀ ଏବଂ ଡିଜିଟାଲ ପେମେଣ୍ଟ ସିଷ୍ଟମ ଉପରେ ପରୋକ୍ଷ ପ୍ରଭାବ ପକାଇପାରେ ICICI ବ୍ୟାଙ୍କ ପୂର୍ବରୁ ୟେସ୍ ବ୍ୟାଙ୍କ ଏବଂ ଆକ୍ସିସ୍ ବ୍ୟାଙ୍କ ମଧ୍ୟ ଏହିପରି ଶୁଳ୍କ ଲାଗୁ କରିସାରିଛନ୍ତି ।
କେତେ ଲାଗିବ ଶୁଳ୍କ ?
ICICI ବ୍ୟାଙ୍କ ଦ୍ୱାରା ଜାରି କରାଯାଇଥିବା ନିୟମ ଅନୁଯାୟୀ , ଯେଉଁ ପେମେଣ୍ଟ୍ ଏଗ୍ରିଗେଟରମାନଙ୍କର ICICI ବ୍ୟାଙ୍କରେ ଏସ୍କ୍ରୋ ଆକାଉଣ୍ଟ୍ ଅଛି, ସେମାନଙ୍କୁ ପ୍ରତି କାରବାର ଉପରେ ୦.୦୨% ଶୁଳ୍କ ଦେବାକୁ ପଡ଼ିବ । ଯାହାର ସର୍ବାଧିକ ସୀମା ୬ ଟଙ୍କା ରହିବ । ଯେଉଁ ପେମେଣ୍ଟ୍ ଏଗ୍ରିଗେଟରମାନଙ୍କର ICICI ବ୍ୟାଙ୍କରେ ଏସ୍କ୍ରୋ ଆକାଉଣ୍ଟ ନାହିଁ, ସେମାନଙ୍କ ପାଇଁ ଶୁଳ୍କ ଦୁଇ ଗୁଣ ଅର୍ଥାତ୍ ୦.୦୪% ରହିବ ଏବଂ ଏହାର ସର୍ବାଧିକ ସୀମା ୧୦ ଟଙ୍କା ହେବ ।