ଭୁବନେଶ୍ୱର: OTET ପ୍ରଶ୍ନପତ୍ର ଲିକ୍ ଘଟଣାରେ ହେବ କାର୍ଯ୍ୟାନୁଷ୍ଠାନ । ଏ ଘଟଣା ପଛରେ ଯେଉଁମାନେ ବି ସାମିଲ ସେମାନଙ୍କ ବିରୁଦ୍ଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ଏନେଇ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ଯେଉଁମାନେ ବ୍ୟତିକ୍ରମରେ ସାମିଲ ଅଛନ୍ତି, ସେମାନଙ୍କ ବିରୋଧ ତଦନ୍ତ କରି ଗିରଫ କରିଛି କ୍ରାଇମବ୍ରାଞ୍ଚ । ଦୋଷୀ ଶିକ୍ଷକ କି ଯେତେ ବଡ଼ ଲୋକ ହୁଅନ୍ତୁ ଦଣ୍ତ ନିହାତି ମିଳିବ । ଯେଉଁମାନେ ବ୍ୟତିକ୍ରମରେ ସାମିଲ ଅଛନ୍ତି, ସେମାନଙ୍କ ମଧ୍ୟରେ କିଛି ଲୋକଙ୍କୁ କ୍ରାଇମବ୍ରାଞ୍ଚ ଏବେ ସୁଦ୍ଧା ଗିରଫ କରିଛି । ଘଟଣାର ଏବେ ତଦନ୍ତ ଚାଲିଛି । ତେଣୁ ଆଗାମୀ ଦିନରେ କେମିତି ସ୍ୱଚ୍ଛତାର ସହ ପରୀକ୍ଷା ହେବ, ଆଲୋଚନା କରି ଶୀଘ୍ର ପରୀକ୍ଷା ତାରିଖ ବିଜ୍ଞପ୍ତି ବାହାର କରାଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।
ମନ୍ତ୍ରୀ କହିଛନ୍ତି, କ୍ୟୁଆର କୋଡ ଥିବା ସତ୍ତ୍ବେ ଏଭଳି ଘଟଣା ଘଟିଛି। ତେଣୁ ଏଦିଗ ଉପରେ ମଧ୍ୟ ଧ୍ୟାନ ଦିଆଯିବ। ଆଗକୁ କିପରି ଘଟଣାର ପୁନରାବୃତ୍ତି ନହେବ ସେଥିପାଇଁ ବିଭାଗ ସଜାଗ ଅଛି । ସ୍ୱଚ୍ଛତା ସହ ପରୀକ୍ଷା ହେବ ପାଇଁ ଯୋଜନା କରାଯାଉଛି। ଖୁବଶୀଘ୍ର ପୁଣି ଥରେ ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ପାଇଁ ଚେଷ୍ଟା କରୁଛୁ ବୋଲି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।