ଝାରସୁଗୁଡ଼ା: ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଘରୁ ଚୋରି। ଏହି ଘଟଣା ପରେ ସୁରକ୍ଷା ବ୍ୟବସ୍ଥା ଉପରେ ଉଠାଇଛି ପ୍ରଶ୍ନ।ଘଟଣା ସମଗ୍ର ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ଝାରସୁଗୁଡା ସହର ଭିତରେ ଶାନ୍ତି ଆପାର୍ଟମେଣ୍ଟର ଗୋପାଳ ଲାଲ୍ ଲୋଧାଙ୍କ ଏତଲାକ୍ରମେ ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ସୂଚନା ଅନୁଯାୟୀ ଜୁଲାଇ ୨୯ ତାରିଖରେ ଶାନ୍ତି ଆପାର୍ଟମେଣ୍ଟର ଫ୍ଲାଟ ନମ୍ବର ୨୦୫ ରେ ରହୁଥିବା ବିଧାୟକ ଟଙ୍କଧର ତ୍ରିପାଠୀ ସେତେବେଳେ ଘରେ ନ ଥିଲେ। ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଏହାର ସୁଯୋଗ ନେଇ ତାଙ୍କ ଘରେ ପଶିଥିଲା।
ଚୋରି ଘଟଣାରେ ପଡ଼ୋଶୀଙ୍କ ଏତଲା ଆଧାରରେ ଜଣାପଡିଛି ଯେ ବୁଧବାର ସକାଳ ୭ଟାରେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ବାସଭବନ ଥିବା ଫ୍ଲାଟ ନଂ ୨୦୫ର ମୁଖ୍ୟ ଫାଟକ ତାଲା ଭଙ୍ଗା ଯାଇଥିବା ସେ ଦେଖିବାକୁ ପାଇଥିଲେ। ଏହି ଘଟଣା ପରେ ସେ ବିଧାୟକଙ୍କ ଘର ଭିତରେ ପଶି ଦେଖିବା ବେଳକୁ ଫ୍ଲାଟ୍ ଭିତରେ ଥିବା ସିସିଟିଭି କ୍ୟାମେରାର ଡିଭିଆର୍ ଚୋରି ହୋଇଯାଇଥିବା ଜଣାପଡ଼ିଥିଲା।
ପଡ଼ୋଶୀଙ୍କ ଅଭିଯୋଗ ଆଧାରରେ ଝାରସୁଗୁଡ଼ା ଟାଉନ ଥାନାରେ ମାମଲା ରୁଜୁ ହୋଇଛି। ତଦନ୍ତ ଆରମ୍ଭ ହୋଇଛି। ପୋଲିସ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ବୟାନ ଦେଇ ନାହିଁ। ତଦନ୍ତ ଜାରି ରହିଛି। CCTV ଫୁଟେଜ ନ ଥିବାରୁ ଅପରାଧୀଙ୍କୁ ଚିହ୍ନଟ କରିବା କଷ୍ଟକର ହୋଇ ପଡିଛି ।
ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ବିଧାୟକଙ୍କୁ ଦେଖା କରିବାକୁ ଅନେକ ବ୍ୟକ୍ତି ତାଙ୍କ ନିକଟକୁ ଯାଇଥାନ୍ତି। ଏହାସହିତ ବିଧାୟକଙ୍କ ଘରେ ବି ଗୁରୁତ୍ବପୂର୍ଣ୍ଣ ବୈଠକ ବସୁଛି। ଏଭଳି ସ୍ଥିତିରେ ଉକ୍ତ ଡିଭିଆର୍ରେ ଏଭଳି କେଉଁ ଫୁଟେଜ ରହିଥିଲା, ଯାହା ଚୋରି ହେଲା ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।