ହାଇଦ୍ରାବାଦ: ତେଲେଙ୍ଗାନାରେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ମୁସଲମାନ ସମ୍ପଦାୟ ପାଇଁ ବଡ଼ ଯୋଜନା ପ୍ରସ୍ତୁତ କରୁଛନ୍ତି । ଖୁବ ଶୀଘ୍ର ରାଜ୍ୟ ସରକାର ୧୪ଟି ପଛୁଆ ବର୍ଗ (ବିସି) ଅନ୍ତର୍ଗତ ମୁସଲିମ ଜାତିଗୁଡ଼ିକୁ ସଂରକ୍ଷଣ ସୁବିଧା ପ୍ରଦାନ କରିବାକୁ ଯାଉଛନ୍ତି । ଏହା ଦ୍ୱାରା ରାଜ୍ୟର ପ୍ରାୟ ୩ ଲକ୍ଷ ପରିବାର ଅନ୍ତର୍ଭୁକ୍ତ ଅଟନ୍ତି ।
ସରକାରଙ୍କ ଦ୍ୱାରା କରାଯାଇଥିବା ସାମାଜିକ-ଅର୍ଥନୈତିକ, ଶିକ୍ଷାଗତ, ନିଯୁକ୍ତି ଏବଂ ରାଜନୈତିକ ଜାତି ସର୍ଭେ ରିପୋର୍ଟ ଫେବୃଆରୀରେ ସାର୍ବଜନୀନ ହୋଇଥିଲା । ରାଜ୍ୟର ମୋଟ ୧୨.୫୮% ମୁସଲମାନ ଜନସଂଖ୍ୟା ମଧ୍ୟରୁ ୧୦.୦୮% ପଛୁଆ ମୁସଲମାନ ଏବଂ କେବଳ ୨.୫% ମୁସଲମାନ ଅନ୍ୟାନ୍ୟ ବର୍ଗରେ ପଡ଼ିଥାନ୍ତି । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ହାଇଦ୍ରାବାଦର ପୁରୁଣା ସହରର ଅନେକ ମୁସଲିମ ମହିଳା ଗଣନାକାରୀଙ୍କ ସହ ଯୋଗାଯୋଗ କରିନଥିଲେ, ଯାହା ଫଳରେ ମୁସଲିମ ଜନସଂଖ୍ୟା ୧-୨% ହ୍ରାସ ପାଇବାର ସମ୍ଭାବନା ରହିଛି ।
ଏପର୍ୟ୍ୟନ୍ତ ଏହି ମୁସଲିମ ଗୋଷ୍ଠୀଗୁଡ଼ିକୁ ବିସି (ଇ) ବର୍ଗ ଅଧୀନରେ ୪% ସଂରକ୍ଷଣ ଦିଆଯାଇଥିଲା, କିନ୍ତୁ ଆଇନଗତ ବିବାଦ ଏବଂ ଧାର୍ମିକ ଆଧାରରେ ସଂରକ୍ଷଣ ସମ୍ପର୍କରେ ଉଠାଯାଇଥିବା ପ୍ରଶ୍ନ ଯୋଗୁଁ ଏହି ନୀତି ପ୍ରଭାବଶାଳୀ ଭାବରେ କାର୍ୟ୍ୟକାରୀ ହୋଇପାରିଲା ନାହିଁ । ଏହି ଜାତିଗୁଡ଼ିକୁ ଧର୍ମ ନୁହେଁ, ପଛୁଆତା ଆଧାରରେ ସୁବିଧା ଦିଆଯିବା ଉଚିତ ବୋଲି ରେଡ୍ଡୀ ସରକାର କହିଛି । ତେବେ ବିପକ୍ଷ ଭାରତୀୟ ଜନତା ପାର୍ଟି ଏହାକୁ ନେଇ ଆପତ୍ତି ଉଠାଇଛି ।