ନୂଆଦିଲ୍ଲୀ: ଜଷ୍ଟିସ ଯଶବନ୍ତ ବର୍ମାଙ୍କ ବିରୋଧରେ ମହାଭିଯୋଗ ଚଲାଇବା ସୁପାରିଶକୁ ଚ୍ୟାଲେଞ୍ଜ କରି ଦାଖଲ ଆବେଦନ ଉପରେ ବୁଧବାର ସୁପ୍ରିମକୋର୍ଟରେ ପୁଣି ଥରେ ଶୁଣାଣି ହୋଇଛି । ଏହି ସମୟରେ ଅଦାଲତ ଜଷ୍ଟିସ ବର୍ମାଙ୍କ ଓକିଲ କପିଲ ସିବଲଙ୍କ ତର୍କ ଉପରେ କଡା ଜବାବ ଦେଇଛନ୍ତି । ସିବଲ ଜଷ୍ଟିସ ବର୍ମାଙ୍କ ପକ୍ଷ ରଖି ଅନ୍ତରୀଣ କମିଟିର ଯାଞ୍ଚ ଉପରେ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ, ଏମିତି କୌଣସି ପ୍ରାବଧାନ ନାହିଁ ଯେ, ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟଙ୍କ କୌଣସି ଜଜଙ୍କ ବିରୋଧରେ ଅନ୍ତରୀଣ ଯାଞ୍ଚ ଆଧାରରେ ମହାଭିଯୋଗର ସୁପାରିଶ କରାଯିବ । ଏହିପରି ଭାବେ ସେ ପୂର୍ବତନ ସିଜେଆଇ ସଞ୍ଜୀବ ଖନ୍ନାଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି ।
ଉକ୍ତ ଅନ୍ତରୀଣ କମିଟିର ଯାଞ୍ଚରେ କ୍ୟାସ କାଣ୍ଡରେ ଜଷ୍ଟିସ ବର୍ମାଙ୍କ ସଂପୃକ୍ତି ଥିବା କୁହାଯାଇଥିଲା । କମିଟିର ଯାଞ୍ଚ ରିପୋର୍ଟ ଆଧାରରେ ପୂର୍ବତନ ସିଜେଆଇ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ସୁପାରିଶ କରିଥିଲେ ଯେ, ଜଷ୍ଟିସ ବର୍ମାଙ୍କ ବିରୋଧରେ ମହାଭିଯୋଗ ଚଲାଯାଉ । ଏହା ଉପରେ କପିଲ ସିବଲ ପ୍ରଶ୍ନ ଉଠାଇବାରୁ ଖଣ୍ଡପୀଠ ଦୃଢ ଜବାବ ଦେଇଛନ୍ତି । ଜଷ୍ଟିସ ଦୀପାଙ୍କର ଦତ୍ତା ଓ ଜଷ୍ଟିସ ଏଜି ମସୀହଙ୍କ ପୀଠ କହିଛନ୍ତି, ଅନ୍ତରୀଣ ଯାଞ୍ଚ ବା ଇନ ହାଉସ ଯାଞ୍ଚର ବ୍ୟବସ୍ଥା ୧୯୯୯ରେ ଲାଗୁ ହୋଇଥିଲା । ଏହାରି ଆଧାରରେ ହିଁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଯଦି ପ୍ରଧାନ ବିଚାରପତିଙ୍କୁ ଲାଗୁଛି ଯେ କିଛି ବଡବଡ ହୋଇଛି ତେବେ ସେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଜଣାଇ ପାରିବେ ।
ଏହା ଉପରେ କପିଲ ସିବଲ କହିଛନ୍ତି, ଯଦି ଆପଣ ପ୍ରଥମରୁ ମନସ୍ଥ କରି ସାରିଛନ୍ତି ତେବେ ଆଉ କଣ କରାଯିବ । ଯେଉଁଭଳି ଭାବେ ଜଷ୍ଟିସ ବର୍ମାଙ୍କ ବିରୋଧରେ ମହାଭିଯୋଗ ଅଣାଯାଉଛି ଯଦି ତାହା ଆଗକୁ ବଢେ ତେବେ ଭୁଲ ଉଦାହରଣ ସୃଷ୍ଟି କରିବ । ଉକ୍ତ ରିପୋର୍ଟ ଭରସାରେ ଏମିତି କାର୍ଯ୍ୟାନୁଷ୍ଠାନ ନିଆଯିବା ଭୁଲ୍ । ଏହା ଉପରେ ସୁପ୍ରିମକୋର୍ଟ କହିଛନ୍ତି, ଆପଣ ଯାଞ୍ଚ ରିପୋର୍ଟ କଥା ଉଠାନ୍ତୁ ନାହିଁ । ଆପଣଙ୍କ ତର୍କ ଏହା ଯେ, ଉକ୍ତ କମିଟି ସାମ୍ବିଧାନିକ ଥିଲା କି ନାହିଁ । ଆପଣ ତାହା ଉପରେ ହିଁ ତର୍କ ରଖନ୍ତୁ ।
ଜଷ୍ଟିସ ଦତ୍ତା କହିଛନ୍ତି କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ବି ଜଜଙ୍କୁ ହଟାଯାଇ ପାରିବ । ମାତ୍ର ଏଥିପାଇଁ କୌଣସି ଆଇନ ନାହିଁ । ଯଦି ସରକାର ଏମିତି କୌଣସି ଆଇନ ତିଆରି କରନ୍ତି ତେବେ ଆମେ ଏହାର ପରୀକ୍ଷଣ କରିବୁ । ଏହି ମାମଲାରେ କେନ୍ଦ୍ର ସରକାରଙ୍କ ଶକ୍ତି ଓ କ୍ଷମତା ଉପରେ କଥା କୁହନ୍ତୁ ନାହିଁ । ସୁପ୍ରିମକୋର୍ଟ ଓ ହାଇକୋର୍ଟ ଉପରେ ମତ ରଖନ୍ତୁ । ସଂପ୍ରତି ଯାଞ୍ଚ କମିଟିକୁ ଅବୈଧ୍ୟ ଘୋଷିତ କରିବା ଦାବିରେ ଜଷ୍ଟିସ ବର୍ମାଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି ।