ନୂଆଦିଲ୍ଲୀ: ତାମିଲନାଡ଼ୁ ରାଜ୍ୟପାଳ ଆର୍.ଏନ୍. ରବି ଦେଶର ବର୍ଦ୍ଧିତ ଜନସଂଖ୍ୟାକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି । ବିଶେଷ କରି ଆସାମ ଓ ପଶ୍ଚିମବଙ୍ଗ ଭଳି କେତେକ ରାଜ୍ୟର ବଢ଼ୁଥିବା ଜନସଂଖ୍ୟାକୁ ‘ଟାଇମ୍ ବମ୍’ ସହିତ ତୁଳନା କରିଛନ୍ତି । ଏହି ଜନସଂଖ୍ୟା ଦେଶକୁ ଭିତରୁ ଦୁର୍ବଳ କରିଦେବ ବୋଲି ଏକ କାର୍ଯ୍ୟକ୍ରମ କହିଛନ୍ତି ରାଜ୍ୟପାଳ ରବି ।
ତାମିଲନାଡୁର ରାଜ୍ୟପାଳ ଜାତୀୟ ପ୍ରତିରକ୍ଷା ବିଶ୍ୱବିଦ୍ୟାଳୟର ୨୦୨୫-୨୦୨୬ ଶିକ୍ଷାବର୍ଷ ଆରମ୍ଭ ଅବସରରେ ଯୋଗ ଦେଇଥିଲେ । ରାଜ୍ୟପାଳ ଅଭିଭାଷଣରେ ପ୍ରଶ୍ନ କରିଥିଲେ ଯେ ଗତ ୩୦-୪୦ ବର୍ଷ ମଧ୍ୟରେ ଆସାମ, ପଶ୍ଚିମବଙ୍ଗ ଏବଂ ପୂର୍ବାଞ୍ଚଳ (ଉତ୍ତର ପ୍ରଦେଶ ଏବଂ ବିହାରର କିଛି ଅଂଶ) ରେ ଘଟିଥିବା ଜନସଂଖ୍ୟାଗତ ପରିବର୍ତ୍ତନ ବିଷୟରେ କେହି ଚିନ୍ତିତ କି ? ଆଗାମୀ ୫୦ ବର୍ଷ ମଧ୍ୟରେ ଏହି ରାଜ୍ୟଗୁଡ଼ିକରେ ଦେଶର ବିଭାଜନ କାରଣ ହେବ, ଏହା କେହି ଭାବି ବି ପାରିବେ ନାହିଁ ।
ତେଣୁ କିଛି ଅଞ୍ଚଳରେ ବଢ଼ୁଥିବା ଜନସଂଖ୍ୟା ଏବଂ ଏହାର ଭବିଷ୍ୟତ ଉପରେ ଏକ ଅଧ୍ୟୟନ କରିବା ଉଚିତ । ଏହି ସମସ୍ୟା ଏକ 'ଟାଇମ୍ ବୋମା' ପରି । ଭବିଷ୍ୟତରେ ଏହି ସମସ୍ୟାର କିପରି ମୁକାବିଲା କରାଯିବ ସେଥିପାଇଁ ଚିନ୍ତା କରିବାକୁ ପଡିବ । ଆଜିଠାରୁ ହିଁ ସମାଧାନ ଖୋଜିବା ଆରମ୍ଭ କରିବା ଉଚିତ ବୋଲି ରାଜ୍ୟପାଳ ପରାମର୍ଶ ଦେଇଛନ୍ତି । ଆଭ୍ୟନ୍ତରୀଣ ଅଶାନ୍ତିର ମୁକାବିଲା ପାଇଁ କୌଣସି ଦେଶର ସାମରିକ ଶକ୍ତି ଯଥେଷ୍ଟ ନୁହେଁ । ରାଜ୍ୟପାଳ ଏହି ପ୍ରସଙ୍ଗରେ ସୋଭିଏତ୍ ୟୁନିଅନର ଉଦାହରଣ ଦେଇଛନ୍ତି । ସୋଭିଏତ୍ ୟୁନିଅନର ସାମରିକ ଶକ୍ତି ଆଭ୍ୟନ୍ତରୀଣ ସମସ୍ୟାର ମୁକାବିଲା ପାଇଁ ଯଦି ଯଥେଷ୍ଟ ହୋଇଥାନ୍ତା, ତେବେ ଏହା ୧୯୯୧ ମସିହାରେ ଭାଙ୍ଗି ନ ଥାନ୍ତା ।
ଖାଲି ସେତିକି ନୁହେଁ ଦେଶ ଭିତରେ ଅନେକ ରାଜ୍ୟରେ ଦେଖାଦେଇଥିବା ଭାଷା ସମସ୍ୟାକୁ ମଧ୍ୟ ସେ ନିନ୍ଦା କରିଛନ୍ତି । ଦକ୍ଷିଣ ଭାରତ ସମେତ ମହାରାଷ୍ଟ୍ରରେ ଚାଲିଥିବା ଭାଷା ବିବାଦ ଏବଂ ହିନ୍ଦୀ ପ୍ରଚଳନର ଦାବି ମଧ୍ୟରେ, ରାଜ୍ୟପାଳ କହିଛନ୍ତି ଯେ ଭାଷାକୁ ନେଇ ପରସ୍ପର ମଧ୍ୟରେ ତିକ୍ତତା ରଖିବା ଭାରତର ଚରିତ୍ର କିମ୍ବା ସଂସ୍କୃତିରେ ନାହିଁ । ଭାରତ ସର୍ବଦା ବାହ୍ୟ ଆକ୍ରମଣ ବିରୁଦ୍ଧରେ ଲଢ଼ିବାରେ ସଫଳ ହୋଇଛି । କିନ୍ତୁ ଯେତେବେଳେ ଆଭ୍ୟନ୍ତରୀଣ ପ୍ରସଙ୍ଗ ଆସେ, ଆମେ ସମସ୍ତେ ଜାଣୁ ଯେ ଅତୀତରେ କ'ଣ ଘଟିଛି । ଆଭ୍ୟନ୍ତରୀଣ ଅଶାନ୍ତି ଯୋଗୁଁ ୧୯୪୭ ମସିହାରେ ଭାରତ ବିଭାଜିତ ହୋଇଥିଲା । ଗୋଟିଏ ବିଚାରଧାରାରେ ବିଶ୍ୱାସ କରୁଥିବା ଲୋକମାନେ ଘୋଷଣା କରିଥିଲେ ଯେ ସେମାନେ ଆମ ସମସ୍ତଙ୍କ ସହିତ ରହିବାକୁ ଚାହାଁନ୍ତି ନାହିଁ। ଏହି ବିଚାରଧାରା ଆମ ଦେଶକୁ ଭାଙ୍ଗି ଦେଇଥିଲା।