ଦିନେ ଯିଏ ଇଣ୍ଡିଆନ୍ ଆଇଡଲ୍ ମଞ୍ଚରେ ନିଜ ଯାଦୁଗରୀ କଣ୍ଠରେ ଫ୍ୟାନ୍ସଙ୍କୁ ଦିୱାନା କରୁଥିଲେ, ଆଜି ସେ ଆଇପିଏଲରେ ଖେଳାଳିଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି । ସଙ୍ଗୀତ ଦୁନିଆରୁ ଆସି ଖେଳାଳୀମାନଙ୍କ ପାଇଁ ଅମ୍ପାୟରିଂ କରିବା ଖବର ବେଶ୍ ପ୍ରେରଣାଦାୟୀ। ତେବେ ଏହି ଯାତ୍ରାର ସଫଳ ନାୟକ ହେଉଛନ୍ତି ମହାରାଷ୍ଟ୍ରର ପରାଶର ଯୋଶୀ।
ଓମେନ ପ୍ରିମିୟର ଲିଗରେ ଅମ୍ପାୟରିଂ କରୁଥିବା ସମୟରେ ଫ୍ୟାନ୍ସ ମାନେ ତାଙ୍କ ଚେହେରା ଭାରତୀୟ କ୍ରିକେଟ୍ ଖେଳାଳୀ ଶ୍ରେୟସ ଆୟରଙ୍କ ସହ ମିଶୁଥିବାକୁ ନେଇ ବେଶ ଲୋକପ୍ରିୟତା ଅର୍ଜନ କରିଥିଲେ ପରାଶର । ଶ୍ରେୟସଙ୍କ ସହ ତାଙ୍କର ଏହି ସଂପର୍କ କେବଳ ଏହି ପ୍ରସଙ୍ଗରେ ନଥିଲା।
ପରାଶର ମଧ୍ୟ ପିଲାବେଳେ କ୍ଲବ୍ କ୍ରିକେଟରେ ନିଜ ଭାଗ୍ୟ ପରୀକ୍ଷା କରିଥିଲେ । କ୍ରିକେଟ ଖେଳ ସହ ସେ ଇଣ୍ଡିଆନ ଆଇଡଲର ପ୍ରଥମ ସଂସ୍କରଣରେ ଅଡିସନ୍ ଦେଇଥିଲେ। କିନ୍ତୁ ତିନିଥର ଏଥିରେ ବିଫଳତା ପାଇବା ପରେ ଚତୁର୍ଥ ଥର ୨୦୦୮ ମସିହାରେ ଦ୍ଵିତୀୟ ପର୍ଯ୍ୟାୟ ପର୍ଯ୍ୟନ୍ତ କ୍ୱାଲିଫାୟ କରିଥିଲେ । ତେବେ ସେହି ସଫଳତାର ଭିଡ଼ିଓ ସେ ଏବେ ନିଜ ସୋସିଆଲ ଆକାଉଣ୍ଟରେ ସେୟାର କରିଛନ୍ତି । ଏକଦା ସେ ଇଣ୍ଡିଆନ ଆଇଡଲରେ ପ୍ରତିଯୋଗୀ ଥିବା କଥା ତାଙ୍କ ପ୍ରଶଂସକମାନଙ୍କୁ ଜଣାଇଥିଲେ । ପରାଶର କ୍ଲବ କ୍ରିକେଟ ଖେଳୁଥିଲେ ମଧ୍ୟ କଡା ପ୍ରତିଯୋଗୀତା ପାଇଁ ସେ ୨୦୦୫ ମସିହାରେ ସଙ୍ଗୀତ ଆଡକୁ ମନ ବଳାଇଥିଲେ । ପରେ କ୍ରିକେଟ ଖେଳ ଜାରି ରଖିବା ସହ ଅମ୍ପାୟରିଂରେ କ୍ୟାରିୟର କରିବା ପାଇଁ ନିଷ୍ପତି ନେଇଥିଲେ। ଏହାର ଠିକ୍ ୧୦ ବର୍ଷ ପରେ ବିସିସିଆର ପ୍ୟାନେଲ ଅମ୍ପାୟାର ଭାବେ ସ୍ୱୀକୃତି ନେବା ପରେ ପରାଶରଙ୍କ ଜୀବନ ଆଉ ଏକ ମୋଡ ନେଇଥିଲା।
ପରାଶର ଘରୋଇ କ୍ରିକେଟରେ ଅମ୍ପାୟାର ଅଭିଜ୍ଞତା ଅର୍ଜନ କରିସାରିବା ପରେ ଗତ ବର୍ଷ ୨୦୨୪ ରେ ସେ ପ୍ରଥମ ଥର ଡବ୍ଲ୍ୟୁପିଏଲରେ ଖେଳ ପରିଚାଳନାର ଦାୟିତ୍ଵ ବହନ କରି ପ୍ରଶଂସା ସାଉଁଟିଥିଲେ । ଚଳିତ ବର୍ଷ ଆଇପିଏଲରେ ଅମ୍ପାୟାର ତାଲିକାରେ ବିସିସିଆଇ ତାଙ୍କୁ ଚୟନ କରିଛି ।