ପୁରୀ : ଦେଶ ବିଦେଶ ସହ ଏଣିକି ଆକାଶପଥରେ ସଂଯୋଗ ହେବ ଜଗନ୍ନାଥ ଧାମ ପୁରୀ । ପୁରୀରେ ଏକ ନୂତନ ବିମାନ ବନ୍ଦର ସ୍ଥାପନ ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ନୀତିଗତ ଭାବେ ଅନୁମୋଦନ କରିଛନ୍ତି । ପୁରୀରେ ଏହି ନୂତନ ବିମାନ ବନ୍ଦର ସ୍ଥାପନ ପାଇଁ କେନ୍ଦ୍ର ସରକାର ଅନୁମୋଦନ କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ରାମ ମୋହନ ନାଇଡୁ କିଞ୍ଜାରାପୁଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ନିଜ ସୋସିଆଲ ମିଡ଼ିଆ ହ୍ୟାଣ୍ଡଲ ‘ଏକ୍ସ’ରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୁରୀରେ ଏକ ଗ୍ରୀନଫିଲ୍ଡ ବିମାନବନ୍ଦର ପ୍ରତିଷ୍ଠା ପାଇଁ ନୀତିଗତ ଅନୁମୋଦନ ପ୍ରଦାନ କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ରାମମୋହନ ନାଇଡୁଙ୍କୁ ଧନ୍ୟବାଦ। ଏହି ନିଷ୍ପତ୍ତି ଦ୍ୱାରା ଏହି ଅଞ୍ଚଳରେ ଧାର୍ମିକ ପର୍ଯ୍ୟଟନ, ଆଞ୍ଚଳିକ ବିକାଶ ଏବଂ ଯୋଗାଯୋଗ ବ୍ୟବସ୍ଥାରେ ବ୍ୟାପକ ଉନ୍ନତି ଆସିପାରିବ ।
ସୂଚନାଯୋଗ୍ୟ ରାଜ୍ୟ ସରକାର ସମୃଦ୍ଧ ଓଡିଶା ଗଠନ ଲକ୍ଷ୍ୟରେ ରାଜ୍ୟରେ ବ୍ୟାପକ ଭିତ୍ତିଭୂମିର ବିକାଶ ସହିତ ଶିଳ୍ପ ବିକାଶ ଉପରେ ଗୁରୁତ୍ୱ ଆରୋପ କରୁଛନ୍ତି । ରାଜ୍ୟରେ ବିଭିନ୍ନ ବିମାନ ଚଳାଚଳ ଭିତ୍ତିଭୂମିର ସୁଦୃଢୀକରଣ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି । ପୁରୀ ସହିତ ପାରାଦୀପରେ ମଧ୍ୟ ଏକ ନୂଆ ବିମାନ ବନ୍ଦର କରିବାର ଯୋଜନା ରହିଛି । ପୁରୀ ବିମାନ ବନ୍ଦରକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ମିଳିବା ପରେ ଆହୁରି ଅଧିକ ଜାତୀୟ ଓ ଅନ୍ତର୍ଜାତୀୟ ପର୍ଯ୍ୟଟକ ଓଡିଶା ଆସିବାର ସୁଯୋଗ ପାଇବେ ଓ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ଆସିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।
ତେବେ ପୁରୀରେ ଏୟାରପୋର୍ଟ ନିର୍ମାଣ ପାଇଁ ଅନୁମୋଦନ ପରେ ପୁରୀ ବାସିନ୍ଦାଙ୍କ ବିଭିନ୍ନ ମହଲରେ ଖୁସିବ୍ୟକ୍ତ ପ୍ରକାଶ କରାଇଛନ୍ତି କାରଣ ପୁରୀ ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଅଟେ ଯେଉଁଠାକୁ ପ୍ରତିଦିନ ଲକ୍ଷଲକ୍ଷ ଲୋକ ଆସନ୍ତି । ଏୟାରପୋର୍ଟ ହେବାଦ୍ବାରା ଏଣିକି ଆଗକୁ ଗମନାଗମନ ଆହୁରି ସୁବିଧା ହେବ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ଘଟିବ ।