୧୯୭୧ରେ ମସିହା ପରେ ପ୍ରଥମ ଥର ପାଇଁ ଭାରତ ମେ ୭ ତାରିଖରେ ଏକ ଜାତୀୟ ସ୍ତରର ସିଭିଲ ଡିଫେନ୍ସ ମକ ଡ୍ରିଲ ଆୟୋଜନ କରୁଛି। ଏପ୍ରିଲ ୨୨ରେ ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ, ଯେଉଁଥିରେ ୨୬ ଜଣ ନିରୀହ ନାଗରିକ ପ୍ରାଣ ହରାଇଥିଲେ, ତା’ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦେଶର ୨୪୪ଟି ସିଭିଲ ଡିଫେନ୍ସ ଜିଲାରେ ବିଶାଳ ସମରାଭ୍ୟାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା ୧୯୭୧ ମସିହା ପରେ ଦେଶରେ ଏହା ପ୍ରଥମ ଥର ପାଇଁ ମକଡ୍ରିଲ କରାଯାଉଛି । ୧୯୯୯ରେ କାରିଗଲ ଯୁଦ୍ଧ ସମୟରେ ମଧ୍ୟ ଏପରି କୌଣସି ବି ଅଭ୍ୟାସ ହୋଇ ନଥିଲା।
୧୯୭୧ ବେଳେ ଭାରତୀୟ ସେନା ତରଫରୁ କରାଯାଇଥିବା ମକଡ୍ରିଲ ଦେଖିଥିବା କିଛି ଲୋକଙ୍କ କହିବା ମୁତାବକ ସେତେବେଳେ ନିଜ ନିଜ ଘରର କାଚକୁ କାଗଜ ସହାୟତା ଢାଙ୍କିବାକୁ ପଡିଥିଲା । କିଛି ବିଶେଷଜ୍ଞଙ୍କ ମତ ହେଉଛି ଭାରତ ସରକାର ମକଡ୍ରିଲ ପାଇଁ ନିର୍ଦ୍ଦେଶ ଦେବା ପରେ ଭାରତ ଓ ପାକିସ୍ତାନ ମଧ୍ୟ ଯୁଦ୍ଧ ଆଶଙ୍କା ସୁନିଶ୍ଚିତ ହେବାରେ ଲାଗିଛି । ୧୯୭୧ରେ ଭାରତ-ପାକିସ୍ତାନ ଯୁଦ୍ଧ ଦେଖିଥିବା ବ୍ୟକ୍ତିମାନେ ସେହି ସମୟର ସ୍ମୃତି ଶେୟାର କରିଛନ୍ତି। ସାମ୍ବାଦିକ ମଧୁରେନ୍ଦ୍ର ପ୍ରସାଦ ସିନହା (୭୧) କହିଛନ୍ତି, ମୁଁ ସେତେବେଳେ କଲେଜରେ ଥାଏ। ସଂଧ୍ୟା ୭ଟାରେ ସାଇରେନ ବାଜୁଥିଲା ଏବଂ ଆମେ ସମସ୍ତେ ଆଲୁଅ ବନ୍ଦ କରୁଥିଲୁ। ସେତେବେଳେ ସେ ବିହାରର କିଶନଗଞ୍ଜରେ ଥାଆନ୍ତି, ଯାହା ପୂର୍ବ ପାକିସ୍ତାନ (ବର୍ତ୍ତମାନର ବାଂଲାଦେଶ) ନିକଟରେ ଥିଲା। ସେ କହିଛନ୍ତି, ସେହି ସମୟରେ ସୈନ୍ୟ ସହର ନିୟନ୍ତ୍ରଣ କରିଥିଲେ। ସାଇରେନ ଶୁଣି ଆମେ ଲଣ୍ଠନ ଜାଳୁଥିଲୁ।
ଉତ୍ତର ପ୍ରଦେଶର କାନପୁରରେ ରହୁଥିବା ମୌସୁମୀ ରାୟ (୧୯୭୧ରେ ୩ ବର୍ଷ ବୟସ) କହିଛନ୍ତି, କାନପୁର ଏକ ଶିଳ୍ପ ଅଞ୍ଚଳ ଥିଲା। ତାଜମହଲକୁ କଳା କନା ଢାଙ୍କି ଦିଆଯାଇଥିଲା ବୋଲି ଶୁଣିଥିଲୁ, ଯାହା ଆମ ମନରେ ଭୟ ସୃଷ୍ଟି କରିଥିଲା। ସେହି ସମୟରେ ବ୍ଲାକଆଉଟ ଅଭ୍ୟାସ, ସାଇରନ ଓ ଜନସାଧାରଣଙ୍କ ମଧ୍ୟରେ ଆତଙ୍କ ଏକ ସାଧାରଣ ଦୃଶ୍ୟ ଥିଲା।
ଏହି ମକଡ୍ରିଲରେ କ'ଣ କ'ଣ ସାମିଲ ହେବ ?
ମଙ୍ଗଳବାର ଦିନ କେନ୍ଦ୍ର ଗୃହମନ୍ତ୍ରଣାଳୟ ତରଫରୁ ଉତ୍ତର ଓ ପଶ୍ଚିମର ଅନେକ ରାଜ୍ୟକୁ ନାଗରିକଙ୍କ ସୁରକ୍ଷା ପାଇଁ ମକଡ୍ରିଲ ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି କ୍ରମରେ କେନ୍ଦ୍ର ସରକାର ଜିଲ୍ଲା ପ୍ରଶାସନ, ଜିଲ୍ଲାର ବିଭିନ୍ନ ପଦାଧିକାରୀ, ନାଗରିକ ସୁରକ୍ଷା ୱାଡେନ୍, ସ୍ୱଂୟସେବକ, ହୋମଗାର୍ଡ, ରାଷ୍ଟ୍ରୀୟ କ୍ୟାଡେଟ୍ କୋର ବା ଏନସିସି, ରାଷ୍ଟ୍ରୀୟ ସେବା ଯୋଜନା ବା ଏନଏସଏସ, ନେହରୁ ଯୁବା ସଂଗଠନ, କଲେଜ ଓ ସ୍କୁଲ ଛାତ୍ର ଛାତ୍ରୀଙ୍କୁ ଏଥିରେ ଭାଗ ନେବାକୁ କୁହାଯାଇଛି ।
ଆସନ୍ତା କାଲି ଅର୍ଥାତ ମେ'୭ ତାରିଖରେ ଦେଶର ବିଭିନ୍ନ ସ୍ଥାନରେ ମକଡ୍ରିଲ୍ ଆୟୋଜିତ ହେବାକୁ ଯାଉଛି । ଏହି ମକଡ୍ରିଲରେ ଆକାଶ ପଥରୁ ଆକ୍ରମଣ ହେଲେ କିଭଳି ନିଜକୁ ସୁରକ୍ଷିତ ରଖାଯାଇପାରିବ ତା ଉପରେ ପ୍ରଶିକ୍ଷଣ ଦିଆଯିବ । ପ୍ରଥମ କଥା ହେଉଛି ଯଦି କୌଣସି ସହର ଉପରେ ଆକାଶମାର୍ଗରୁ ପାକିସ୍ତାନ ଆକ୍ରମଣ କରେ ତେବେ ସେଠାରେ ଜରୁରୀକାଳୀନ ସାଇରନ୍ ବାଜିବ । ଏହି କ୍ରମରେ ନାଗରିକମାନେ କେଉଁ କେଉଁ ସ୍ଥାନରେ ଲୁଚି ପାରିବେ ସେନେଇ ପ୍ରଶିକ୍ଷଣ ପ୍ରଦାନ କରାଯିବ ।