ନୂଆଦିଲ୍ଲୀ: ଆଜି ଆଇପିଏଲରେ ଏକ ଜବରଦସ୍ତ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜରାଟ ଟାଇଟନ୍ସ । ପ୍ଲେ ଅଫ ଦୃଷ୍ଟିରୁ ଏହି ମୁକାବିଲା ବେଶ ଗୁରୁତ୍ୱ ବହନ କରୁଛି । ମୁମ୍ବାଇ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ଥିବା ବେଳେ ଗୁଜରାଟ ଚତୁର୍ଥ ସ୍ଥାନରେ ରହିଛି । ଯେଉଁ ଦଳ ଆଜିର ମ୍ୟାଚ୍ ଜିତିବ ସିଧା ଏକ ନମ୍ବର ସ୍ଥାନକୁ ଉଠିବ । ତେଣୁ ଏହି ମ୍ୟାଚ୍ ବେଶ ରୋମାଞ୍ଚକର ହେବାର ସମ୍ଭାବନା ରହିଛି । କାରଣ ଦୁଇ ଦଳ ଚମତ୍କାର ଫର୍ମରେ ଅଛନ୍ତି । ମୁମ୍ବାଇ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ଲଗାତାର ୬ଟି ମ୍ୟାଚ୍ ଜିତି ଟପ-୪ରେ ପ୍ରବେଶ କରିଛି ।
ଏହି ମ୍ୟାଚ୍ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ । ଚଳିତ ସିଜିନରେ ପୂର୍ବରୁ ଦୁଇ ଦଳ ମୁହାଁମୁହିଁ ହୋଇ ସାରିଛନ୍ତି । ଉକ୍ତ ମୁକାବିଲାକୁ ଗୁଜରାଟ ଜିତିଥିଲା । ତେଣୁ ଆଜିର ମ୍ୟାଚ୍ ଜିତି ପ୍ରତିଶୋଧ ନେବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ମୁମ୍ବାଇ । ୱାଙ୍ଖେଡେରେ ଏ ପର୍ଯ୍ୟନ୍ତ ୧୨୩ ଆଇପିଏଲ୍ ମ୍ୟାଚ୍ ଖେଳା ଯାଇଛି. ଏଥିରୁ ୫୫ଟି ମ୍ୟାଚ୍ ପ୍ରଥମେ ବ୍ୟାଟିଂ କରିଥିବା ଦଳ ଜିତିଥିବା ବେଳେ ଦ୍ୱିତୀୟରେ ବ୍ୟାଟିଂ କରିଥିବା ଦଳ ୬୭ଟି ମ୍ୟାଚ୍ ଜିତିଛି । ତେଣୁ ଏଠାରେ ବିଜୟ ଲକ୍ଷ୍ୟ ପିଛା କରିବା ଦଳକୁ ଫାଇଦା ଦେଇଥାଏ । ଚଳିତ ସିଜିନରେ ୫ଟି ମ୍ୟାଚରୁ ୩ଟି ମ୍ୟାଚ୍ ବିଜୟ ଲକ୍ଷ୍ୟ ପିଛା କରିଥିବା ଦଳ ଜିତିଛି ।
ୱାଙ୍ଖେଡେର ପିଚ୍ ସର୍ବଦା ବ୍ୟାଟରଙ୍କୁ ସୁହାଇଥାଏ । ସ୍ପିନରଙ୍କ ତୁଳନାରେ ଦ୍ରୁତ ବୋଲରଙ୍କୁ କିଛିଟା ସହାୟତା ମିଳିଥାଏ । ପ୍ରଥମ ଇନିଂସରେ ହାରାହାରି ସ୍କୋର ୧୭୧ ରନ ରହିଛି । ମୁମ୍ବାଇ ଓ ଗୁଜରାଟ ଆଇପିଏଲରେ ୬ ଥର ମୁହାଁମୁହିଁ ହୋଇଛନ୍ତି । ଏଥିରେ ଗୁଜରାଟର ପଲ୍ଲା ଭାରି ରହିଛି । ଦଳ ୪ଟି ମ୍ୟାଚ୍ ଜିତିଥିବା ବେଳେ ମୁ୍ମ୍ବାଇ କେବଳ ୨ଟି ଜିତି ପାରିଛି । ତେବେ ୱାଙ୍ଖେଡେରେ ମୁମ୍ବାଇ ଇଣ୍ଡିଆନ୍ସର ପଲ୍ଲା ଭାରି ରହିଛି । ଏହି ଗ୍ରାଉଣ୍ଡରେ ମୁମ୍ବାଇ ୯୦ ମ୍ୟାଚ୍ ଖେଳି ୫୫ଟି ଜିତିଥିବା ବେଳେ ୩୪ଟି ହାରିଛି ।