ନୂଆଦିଲ୍ଲୀ: ଜାତିଗତ ଜନଗଣନାକୁ ନେଇ ଦେଶରେ ରାଜନୈତିକ ମାହୋଲ ସରଗରମ ରହିଛି । ନିକଟରେ କେନ୍ଦ୍ର ସରକାର ଦେଶରେ ଜାତିଗତ ଜନଗଣନାକୁ ମଞ୍ଜୁରୀ ଦେଇଥିଲେ । ଏହି କ୍ରମରେ ମଙ୍ଗଳବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି । ଏଥିରେ ସେ ଜାତି ଜନଗଣନା ସମ୍ବନ୍ଧରେ ବିଚାର କରିବା ପାଇଁ ତିନୋଟି ବିନ୍ଦୁ ଉପରେ ପ୍ରସ୍ତାବ ଦେଇଛନ୍ତି । ଏଥିରେ ତେଲେଙ୍ଗାନା ମଡେଲ ଲାଗୁ କରିବାକୁ ସେ ଦାବି କରିଛନ୍ତି ।
ଖଡଗେ ଲେଖିଛନ୍ତି, ମୁଁ ୨୦୨୩ ଏପ୍ରିଲ ୧୬ ତାରିଖରେ ଆପଣଙ୍କୁ ଚିଠି ଲେଖିଥିଲି ଏବଂ ଜାତି ଜନଗଣନା କରାଇବା କଂଗ୍ରେସର ଦାବିକୁ ଆପଣଙ୍କ ସାମ୍ନାରେ ରଖିଥିଲି । ଦୁର୍ଭାଗ୍ୟରୁ ମୋତେ ଏହାର କୌଣସି ଉତ୍ତର ମିଳିଲା ନାହିଁ ।ଏହା ପରେ ଆପଣଙ୍କ ପାର୍ଟିର ନେତା ଓ ଖୋଦ୍ ଆପଣ ଏହି ଦାବିକୁ ନେଇ କଂଗ୍ରେସ ପାର୍ଟି ଓ କଂଗ୍ରେସ ନେତୃତ୍ୱକୁ ଟାର୍ଗେଟ୍ କରି ଚାଲିଲେ । କିନ୍ତୁ ଆଜି ଆପଣ ସ୍ୱୀକାର କରୁଛନ୍ତି ଯେ, ଏହି ଦାବି ସାମାଜିକ ନ୍ୟାୟ ଓ ସଶକ୍ତିକରଣ ହିତରେ ଉଦ୍ଦିଷ୍ଟ ।
ମଲ୍ଲିକାର୍ଜୁନ ଖଡଗେ ଅପିଲ୍ କରିଛନ୍ତି ଯେ, ଜାତିଗତ ଜନଗଣନା ବିଷୟରେ ସମସ୍ତ ରାଜନୈତିକ ଦଳ ସହ ଶୀଘ୍ର ଆଲୋଚନା କରାଯାଉ । ଏହି କ୍ଷେତ୍ରରେ ତେଲେଙ୍ଗାନା ମଡେଲର ଉପଯୋଗ କରାଯାଉ । ରାଜ୍ୟଗୁଡିକ ପକ୍ଷରୁ ପାରିତ ସଂରକ୍ଷଣକୁ ତାମିଲନାଡୁ ଆଧାରରେ ସମ୍ବିଧାନର ୯ମ ଅନୁସୂଚୀରେ ଅନ୍ତର୍ଭୁକ୍ତ କରାଯାଉ । ସଂରକ୍ଷଣର ୫୦ ପ୍ରତିଶତ ସୀମାକୁ ସମାପ୍ତ କରାଯାଉ । ଘରୋଇ ସଂସ୍ଥାଗୁଡିକରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଉ ।
କଂଗ୍ରେସର ସାଧାରଣ ସଂପାଦକ ଜୟରାମ ରମେଶ ଖଡଗେଙ୍କ ଏହି ଚିଠିକୁ ନିଜର ଏକ୍ସ ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ରମେଶ କହିଛନ୍ତି, କଂଗ୍ରେସ କାର୍ଯ୍ୟକାରୀ କମିଟି ମେ ୨ରେ ଅନୁଷ୍ଠିତ ବୈଠକ ପରେ କଂଗ୍ରେସ ଅଧ୍ୟକ୍ଷ ସୋମବାର ରାତିରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ପହଲଗାମରେ ଆତଙ୍କୀଙ୍କ ବର୍ବର ଆକ୍ରମଣ ସମୟରେ ଦେଶରେ ଆକ୍ରୋଶର ମାହୋଲ ଥିବା ସମୟରେ ପ୍ରଧାନମନ୍ତ୍ରୀ ଜାତିଗତ ଜନଗଣନା ଉପରେ ଅଚାନକ ୟୁଟର୍ଣ୍ଣ ମାରିଲେ । କିନ୍ତୁ ଶେଷରେ କେନ୍ଦ୍ର ସରକାର ସ୍ୱୀକାର କରିଛନ୍ତି ଯେ, ଦେଶରେ ଜାତିଗତ ଜନଗଣନା ଜରୁରୀ ।